ବୈତରଣୀ ନଦୀରୁ ନାବାଳକଙ୍କ ଗଳିତ ମୃତଦେହ ଜବତ, ପରିଚୟ ଖୋଜୁଛି ତୁରୁମୁଙ୍ଗା ପୋଲିସ
ପାଟଣା, ୧୩।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଜୁମେଇଁ ଗ୍ରାମ ନିକଟ ବୈତରଣୀ ନଦୀର ସିନ୍ଦୁରିଗୌରୀ ଘାଟରୁ ମଙ୍ଗଳବାର ଦିନ ଜଣେ ଅଜଣା ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ନାହିଁ ଏବଂ ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ପ୍ରକାଶ ପାଇଛି।
ଘଟଣା ସମ୍ପର୍କରେ ଖବର ପାଇ ତୁରୁମୁଙ୍ଗା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ମୃତଦେହକୁ ଉଦ୍ଧାର କରିଥିଲେ। ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମେଡିକାଲ ମର୍ଗକୁ ପଠାଇଛି।
ପାରିପାର୍ଶ୍ୱିକ ସ୍ଥିତିକୁ ଦୃଷ୍ଟିରେ ରଖି ନାବାଳକଙ୍କ ମୃତ୍ୟୁ ପଛରେ କୌଣସି ଅପରାଧିକ ଘଟଣା ଥାଇପାରେ ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ଏହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୩୬/୨୬) ରୁଜୁ କରାଯାଇଛି। ଥାନାର ଏଏସ୍ଆଇ ସୁଜାତା ମହାନ୍ତ ଏହି ଘଟଣାର ତଦନ୍ତ ଚଳାଇଛନ୍ତି। ମୃତକଙ୍କ ପରିଚୟ ଏବଂ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।