ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

Oct 10, 2026 - 23:01
ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌ ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ୧୨୦୦ ବୋତଲ କଫ୍‌ ସିରପ୍‌ ସହ ଗୋଟିଏ ବୋଲେରୋ ମାକ୍ସ ପିକ୍‌ଅପ୍‌ ଗାଡ଼ି (ନଂ- OD 17 AJ 0406) ଜବତ କରିଛି। ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ସ୍ଥାନୀୟ ଏକାମ୍ର ଛକ ନିବାସୀ ଆକାଶ ବାଗ (୨୩)ଙ୍କୁ ପୋଲିସ ଗିରଫ କରିଛି। ଏ ନେଇ ସଦର ଥାନାରେ ମାମଲା ନଂ- ୩୭୨/୨୬ ରୁଜୁ ହେବା ପରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି।

ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ରବିନ୍ଦ୍ରନାଥ ଶତପଥୀ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗିରଫ ଅଭିଯୁକ୍ତ ଆକାଶ ଓ ତାଙ୍କର ଅନ୍ୟ ୨ ଜଣ ସହଯୋଗୀ ଜବତ ହୋଇଥିବା ବୋଲେରୋ ମାକ୍ସ ପିକ୍‌ଅପ୍‌ ଗାଡ଼ିରେ ବିପୁଳ ପରିମାଣର କଫ୍‌ ସିରପ୍‌ ଚାଲାଣ କରୁଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପ୍ରାପ୍ତ ସୂଚନା ଆଧାରରେ ପୋଲିସ ଟିମ୍‌ ସମ୍ପୃକ୍ତ ଗାଡ଼ି ଉପରେ କଡ଼ା ନଜର ରଖିଥିଲା ଏବଂ ବାଲିଜୁରୀ ମାର୍କେଟ୍‌ ନିକଟରେ ଚଢ଼ାଉ କରି ଗାଡ଼ିଟିକୁ ଅଟକାଇବାରେ ସଫଳ ହୋଇଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତ ଆକାଶ ଧରାପଡ଼ିଥିବା ବେଳେ ଫେରାର ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ତନାଘନା ଚାଲିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।