ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ମେରିକମ
ଭାରତୀୟ ବକ୍ସିଂ କିମ୍ବଦନ୍ତୀ ମେରି କମ୍ ଏବଂ ତାଙ୍କ ପୂର୍ବତନ ସ୍ୱାମୀ କାରୁଙ୍ଗ ଓନ୍ଖୋଲର କମ୍ (ଓନ୍ଲର)ଙ୍କ ଦୀର୍ଘ ଦୁଇ ଦଶନ୍ଧିର ବୈବାହିକ ସମ୍ପର୍କର ଅନ୍ତ ଘଟିବା ସହ ସେମାନଙ୍କ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୦୦ ମସିହାରେ ନୂଆଦିଲ୍ଲୀରେ ଭେଟ ହେବା ପରେ ୨୦୦୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏହି ଦମ୍ପତିଙ୍କର ଚାରୋଟି ସନ୍ତାନ ଅଛନ୍ତି । ମେରୀଙ୍କ ସଫଳ ବକ୍ସିଂ କ୍ୟାରିୟର ପଛରେ ଓନ୍ଲରଙ୍କ ଗୁରୁତ୍ୱପୂର୍ଣ୍ଣ ସହଯୋଗ ରହିଥିବା କଥା ପୂର୍ବରୁ ମେରୀ ଅନେକ ସମୟରେ ପ୍ରକାଶ କରିଥିଲେ । ମାତ୍ର ପରିବାରର ବରିଷ୍ଠ ସଦସ୍ୟ ଓ କ୍ଲାନ୍ ନେତାମାନଙ୍କ ଉପସ୍ଥିତିରେ 'କମ୍' ପାରମ୍ପରିକ ରୀତିନୀତି ଅନୁଯାୟୀ ୨୦୨୩ ଦିସେମ୍ବର ୨୦ରେ ସେମାନଙ୍କର ଆପୋଷ ସହମତିରେ ବିବାହ ବିଚ୍ଛେଦ ଚୂଡ଼ାନ୍ତ ହୋଇଥିଲା । ବିଚ୍ଛେଦ ପରେ ମେରିକମ୍ ଏବଂ ପୂର୍ବତନ ଜାତୀୟ ସ୍ତରର କ୍ରିକେଟର, ହିତେଶ ଚୌଧୁରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଓନ୍ଲର ଅଭିଯୋଗ ଆଣିଥିଲେ । ହିତେଶ, 'ମେରିକମ ବକ୍ସିଂ ଫାଉଣ୍ଡେସନ୍'ର ଅଧ୍ୟକ୍ଷ ଏବଂ ସେମାନଙ୍କ ଯୌଥ ଉଦ୍ୟୋଗର ସିଇଓ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ଗ୍ଲୋବାଲ୍ ବକ୍ସିଂ ସିରିଜ୍ ଏବଂ ବିଭିନ୍ନ କ୍ରୀଡ଼ା ପ୍ରୋତ୍ସାହନ କାର୍ଯ୍ୟକ୍ରମରେ ମେରୀ ଓ ହିତେଶଙ୍କୁ ଏକାଠି ଦେଖିବାକୁ ମିଳିବା ପରେ ସୋସିଆଲ ମିଡିଆରେ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ମାତ୍ର ମେରୀ ଏକ ସରକାରୀ ବିବୃତି ମାଧ୍ୟମରେ ଏହି ସମସ୍ତ ଗୁଜବକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ହିତେଶଙ୍କ ସହ ତାଙ୍କର ସମ୍ପର୍କ କେବଳ ବ୍ୟାବସାୟିକ ଓ ପେଷାଦାର ସ୍ତରରେ ସୀମିତ ବୋଲି ସ୍ପଷ୍ଟ କରିଛନ୍ତି । ହେଲେ ବର୍ତ୍ତମାନ ମେରୀ ରିଆଲିଟି ଶୋ ବିଗବସରେ ଭାଗନେବା ପରେ ଏ ସମସ୍ତ ଆଲୋଚନା ପୁଣି ଫେରିଛି । ସୋସିଆଲ ମିଡିଆରେ ପୁଣି ମେରୀଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାର ପରିସରକୁ ଆସିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।