ବ୍ୟବସ୍ଥା ଆଗରେ ହାର୍ ମାନିଲା ମାନବିକତା; ୭୦ କିମି ଚାଲି ଘରକୁ ଫେରିବାକୁ ବାଧ୍ୟ ହେଲେ ଦିବ୍ୟାଙ୍ଗ ଛାତ୍ର

Oct 27, 2026 - 10:48
ବ୍ୟବସ୍ଥା ଆଗରେ ହାର୍ ମାନିଲା ମାନବିକତା; ୭୦ କିମି ଚାଲି ଘରକୁ ଫେରିବାକୁ ବାଧ୍ୟ ହେଲେ ଦିବ୍ୟାଙ୍ଗ ଛାତ୍ର

ନନ୍ଦିଘୋଷ ବ୍ୟୁରୋ: ବ୍ୟବସ୍ଥା ଆଗରେ ଆଜି ପୁଣି ଥରେ ହାର୍ ମାନିଛି ମାନବିକତା। ଜଣେ ଦୃଷ୍ଟିଶକ୍ତି ହରାଇଥିବା, ସିକିଲିଙ୍ଗ୍ ରୋଗରେ ପୀଡ଼ିତ ଏବଂ ହାତ ଭାଙ୍ଗିଯାଇଥିବା ଦିବ୍ୟାଙ୍ଗ ଛାତ୍ରଙ୍କୁ ସାଧାରଣ ସହଯୋଗ ଟିକିଏ ମଧ୍ୟ ମିଳିଲାନି। ଶେଷରେ କୌଣସି ଉପାୟ ନପାଇ ବାଧ୍ୟ ହୋଇ ଦୀର୍ଘ ୭୦ କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତା ଚାଲିଚାଲି ଘରକୁ ଫେରିବାକୁ ଉଦ୍ୟମ କରିଛନ୍ତି ଏହି ଅସହାୟ ଛାତ୍ର। ରାୟଗଡ଼ା ଜିଲ୍ଲା ଗୁଣୁପୁର ନୂଆ ବସ୍‌ଷ୍ଟାଣ୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟବିଦାରକ ଏବଂ ଅତ୍ୟନ୍ତ ଦୁଃଖଦ ଦୃଶ୍ୟ।

ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ନାକାମାମୁଡ଼ି ପଞ୍ଚାୟତ ଜନ୍ତ୍ରୀ ଗ୍ରାମର ୨୧ ବର୍ଷୀୟ ଯୁବକ ପ୍ରକାଶ ମଣ୍ଡଳ। ସେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର +୩ କଳା ବିଭାଗର ଶେଷ ବର୍ଷର ଜଣେ ମେଧାବୀ ଦିବ୍ୟାଙ୍ଗ ଛାତ୍ର। ଗତ ଶନିବାର ସେ ଭୁବନେଶ୍ୱରରୁ ଜୁନାଗଡ଼ ଏକ୍ସପ୍ରେସ୍‌ ଯୋଗେ ନିଜ ଘରକୁ ଫେରୁଥିଲେ। ମାତ୍ର ଯାତ୍ରା ସମୟରେ ଟ୍ରେନ୍‌ ଭିତରୁ ତାଙ୍କର ବ୍ୟାଗ୍, ବହିପତ୍ର ଏବଂ ପରିଚୟପତ୍ର ସହ ସମସ୍ତ ଜିନିଷ ଚୋରି ହୋଇଯାଇଥିଲା।

ପଲାସା ଷ୍ଟେସନ୍‌ରେ ଟିକେଟ୍‌ ଯାଞ୍ଚ ସମୟରେ ପ୍ରକାଶଙ୍କ ପାଖରେ ଟିକେଟ୍ ନଥିବାରୁ, ଚେକିଂ କରୁଥିବା TTE ତାଙ୍କର କୌଣସି ଅସୁବିଧା ନଶୁଣି ନିର୍ଦ୍ଦୟ ଭାବେ ତାଙ୍କୁ RPF ପୋଲିସ୍‌ ହାତରେ ଟେକି ଦେଇଥିଲେ ଏବଂ ଟ୍ରେନ୍‌ରୁ ଓହ୍ଲାଇ ଦେଇଥିଲେ। ହାତରେ ଟଙ୍କାଟିଏ ନଥିବାରୁ ଏବଂ ସମସ୍ତ ସାମଗ୍ରୀ ହରାଇଥିବାରୁ ସେ ଘରକୁ ଫେରିବା ପାଇଁ ଷ୍ଟେସନରେ ଅନେକ ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ହେଲେ କେହି ଜଣେ ହେଲେ ବି ସହାୟତାର ହାତ ବଢ଼ାଇନଥିଲେ। ନିରୁପାୟ ହୋଇ ସେହି ଦିବ୍ୟାଙ୍ଗ ଅବସ୍ଥାରେ ପଲାସାରୁ ପାଦରେ ଚାଲିଚାଲି ଗୁଣୁପୁର ଅଭିମୁଖେ ବାହାରିଥିଲେ।

ଗୋଟିଏ ପଟେ ସିକିଲସେଲ ରୋଗର ଯନ୍ତ୍ରଣା, ଅନ୍ୟପଟେ ଭଙ୍ଗା ହାତ ଓ କମ୍ ଦୃଷ୍ଟିଶକ୍ତି,ଏସବୁ କଷ୍ଟକୁ ସହି ସେ ପାରଳାଖେମୁଣ୍ଡି ଅତିକ୍ରମ କରି କାଶୀନଗର ବ୍ଲକ୍‌ର ହାଡୁଭାଙ୍ଗୀ ଅଞ୍ଚଳ ପର୍ଯ୍ୟନ୍ତ ପାଦରେ ଚାଲିଚାଲି ପହଞ୍ଚିଥିଲେ। ତେବେ ଏହି ସମୟରେ ଢେପସାହିର ରାମବାବୁ ନାମକ ଜଣେ ବାଇକ୍ ଆରୋହୀ ତାଙ୍କୁ ଏଭଳି ବିକଳ ଅବସ୍ଥାରେ ଦେଖି ରହିଯାଇଥିଲେ। ସେ ପ୍ରକାଶଙ୍କୁ ନିଜ ବାଇକ୍‌ରେ ବସାଇ ଗୁଣୁପୁର ନୂଆ ବସ୍‌ଷ୍ଟାଣ୍ଡରେ ଆଣି ପହଞ୍ଚାଇଥିଲେ।

ଗୁଣୁପୁରରେ ପହଞ୍ଚିବା ପରେ, ରାମବାବୁ ସ୍ଥାନୀୟ ଘରୋଇ ବସ୍ ମାଲିକ ସଂଘର ଯୁଗ୍ମ ସମ୍ପାଦକ ସନ୍ତୋଷ ପାଢ଼ୀଙ୍କୁ ସମସ୍ତ ଘଟଣା ଜଣାଇଥିଲେ। ସନ୍ତୋଷ ବାବୁ ସମ୍ବେଦନଶୀଳତା ଦେଖାଇ ପ୍ରକାଶଙ୍କୁ ନିଜ ଖର୍ଚ୍ଚରେ ଏକ ଘରୋଇ ବସ୍‌ରେ ଜୟପୁର ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ।

ତେବେ ଏଠାରେ ପ୍ରଶ୍ନ ଉଠୁଛି- ପାରଳାଖେମୁଣ୍ଡିରେ ସରକାରୀ OSRTC ବସ୍ କଣ୍ଡକ୍ଟରଙ୍କୁ ସେ ସାହାଯ୍ୟ ମାଗିଥିଲେ ମଧ୍ୟ ସରକାରୀ ସ୍ତରରେ ତାଙ୍କୁ କୌଣସି ସହାୟତା ମିଳିନଥିଲା ବୋଲି ପ୍ରକାଶ ଅଭିଯୋଗ କରିଛନ୍ତି। ଏହି ଘଟଣା ଆଜି ଆମ ସମାଜ ଓ ସରକାରୀ ବ୍ୟବସ୍ଥାର ଆବେଗହୀନତାକୁ ପଦାରେ ପକାଇଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।