ବ୍ୟାସନଗର କଲେଜରେ ବିଳମ୍ବିତ ରାତ୍ରିରେ ଫୁଟିଲା ସୁତୁଲି ବାଣ

Oct 08, 2026 - 21:28
ବ୍ୟାସନଗର କଲେଜରେ ବିଳମ୍ବିତ ରାତ୍ରିରେ ଫୁଟିଲା ସୁତୁଲି ବାଣ

ବ୍ୟାସନଗର: ଚଳିତ ବର୍ଷ କଲେଜ ନିର୍ବାଚନ ବିଜ୍ଞପ୍ତି ପରେ ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ବ୍ୟାସନଗର କଲେଜ ପରିବେଶ ଅଶାନ୍ତ ହୋଇ ଉଠିଛି। ବୁଧବାର ବିଳମ୍ବିତ ରାତିରେ କଲେଜର ପଠାଣି ସାମନ୍ତ ହଷ୍ଟେଲ ପରିସରରେ ୭ଟି ସୁତୁଲି ନଡ଼ିଆ ବାଣ ଫୁଟାଯାଇ ନିର୍ବାଚନ ମାହୋଲକୁ ବିଗାଡିବାକୁ ଉଦ୍ୟମ କରାଯାଇଛି।ରାତି ୩. ୨୦ ମିନିଟ ସମୟରେ କେହି ଦୁର୍ବୃତ କଲେଜ ପରିସରରେ ଅଧ୍ୟକ୍ଷ ରହୁଥିବା ଅତିଥିଶାଳା କୋଠରୀ ଝରକା, ଛାତ୍ର ରହୁଥିବା ହଷ୍ଟେଲ, ଛାତ୍ରୀ ହଷ୍ଟେଲରେ ଏହି ବାଣ ଫୁଟିଛି। ପ୍ରଥମେ କଲେଜରେ ବୋମା ମାଡ ହୋଇଛି ବୋଲି ପ୍ରଚାର ହୋଇଥିବା ବେଳେ ପୁଲିସ ସେଠାରେ ସାଇଣ୍ଟିଫିକ ଟିମ ସହିତ ପହଞ୍ଚି ଏକ ଅଫୁଟା ବାଣ ଜବତ କରି ଏହା ବୋମା ନୁହଁ ସୁତୁଲି ବାଣ ବୋଲି ସ୍ପଷ୍ଟ କରିଛି। ଏଥି ସହିତ ଏହାକୁ ପରୀକ୍ଷା ନିରୀକ୍ଷା ପାଇଁ ଭୁବନେଶ୍ୱର ବିସ୍ଲେସଣାଗାରକୁ ପଠାଇଛି। ଏହି ଘଟଣା ପରେ ଭୟରେ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଆଜି ସକାଳୁ କଲେଜ ଛାଡି ଘରକୁ ପଳାଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବିକରି ଫାଟକରେ କିଛି ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ବସିଛନ୍ତି। ଘଟଣାର ପ୍ରକୃତ କାରଣ ଓ ଏହା ପଛରେ କାହାର ଭୂମିକା ରହିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଥିବାବେଳେ ପରିସ୍ଥିତିକୁ ଦେଖି କଲେଜ ନିର୍ବାଚନକୁ ଯାଜପୁର ଜିଲାପାଳ ବାତିଲ କରି ଦେଇଛନ୍ତି ବୋଲି କଲେଜ ଅଧ୍ୟକ୍ଷ ପ୍ରଫେସର ଅକ୍ଷୟ କୁମାର ତ୍ରିପାଠୀ ସୂଚିତ କରିଛନ୍ତି। ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଘଟଣା ସମ୍ପର୍କରେ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ତଥା କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦଙ୍କୁ ସବିଶେଷ ଜଣାଇଥିଲେ। ଏହାକୁ ଅତିରିକ୍ତ ଜିଲାପାଳ ଯାଜପୁର ଜିଲାପାଳ ଅମ୍ବର କୁମାର କରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କଲେଜରେ ଚଳିତ ବର୍ଷ ଛାତ୍ର ନିର୍ବାଚନକୁ ବାତିଲ କରିଦିଆଯାଇଛି। ନିର୍ବାଚନ ବିଜ୍ଞପ୍ତି ପରେ ଛାତ୍ର ସଂଗଠକ ଏବିଭିପି ଓ ବିସିଜେଡି ମଧ୍ୟରେ ଛକପଞ୍ଝା ଚାଲି ଆସୁଥିବା ବେଳେ ନିର୍ବାଚନ ବାତିଲକୁ ନେଇ ନାନା କଥା ଶୁଣିବାକୁ ମିଳୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।