ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

Sep 07, 2026 - 16:41
ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା  ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

ଜିଲାପାଳ କୀର୍ତ୍ତି ଭାସନ୍‌ ଭିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ହରିଶ ବିଶି, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଉପଜିଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ଏବଂ ଏସ୍‌ଡିପିଓ ଡ. ଦୀପକ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ।

ଶିବିରରେ ମୋଟ ୧୮୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୮୬ଟି ବ୍ୟକ୍ତିଗତ ଏବଂ ୨ଟି ସାମୂହିକ ଅଭିଯୋଗ ରହିଥିଲା। ଏଥିମଧ୍ୟରୁ ୧୦ଟି ଅଭିଯୋଗର ତୁରନ୍ତ ସମାଧାନ ଶିବିରସ୍ଥଳରେ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗଗୁଡ଼ିକର ଶୀଘ୍ର ଓ ଫଳପ୍ରଦ ସମାଧାନ ପାଇଁ ଜିଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଜିଲା ରେଡ୍‌କ୍ରସ ପାଣ୍ଠିରୁ ୧୦ ଜଣ ହିତାଧିକାରୀଙ୍କୁ ମୋଟ ୬୭ ହଜାର ୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ଶିବିରରେ ଯୋଗଦେଇଥିବା ଜନସାଧାରଣ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ଭତ୍ତା, ଖାଦ୍ୟ ସୁରକ୍ଷା, ଗୃହ ନିର୍ମାଣ, ଜୀବିକା ମିଶନ, ରାଜସ୍ୱ ଓ ଜମିଜମା ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିଥିଲେ। ଜିଲାପାଳ ଅଭିଯୋଗଗୁଡ଼ିକ ଶୁଣିବା ସହ ସମ୍ପୃକ୍ତ ବିଭାଗକୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଶିବିରରେ ଭଞ୍ଜନଗର ଅତିରିକ୍ତ ଉପଜିଲାପାଳ ଟୁଲିଆମା ପ୍ରଧାନ, ସହାୟକ ଉପଜିଲାପାଳ ରାମଚନ୍ଦ୍ର ମହାପାତ୍ର, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ସମେତ ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଶିବିରର ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।