ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…
ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖାଯାଇଥିବା ୩ ଜଣ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି। ପୋଲିସର ଏପରି ସକ୍ରିୟ କାର୍ଯ୍ୟାନୁଷ୍ଠାନ ଏକ ଉଦାହରଣ ସାଜିଛି। ଖବର ନେବାରୁ ଜଣାଯାଇଛି ଯେ, ଅନୁଗୋଳ ଜିଲା ସଦର ଥାନା ଅଞ୍ଚଳର କିଛି ଲୋକ ଭଦ୍ରକ ଜିଲା ଗଣିଜାଙ୍ଗ ଅଞ୍ଚଳରେ ଠିକା କାର୍ଯ୍ୟରେ ନିୟୋଜିତ ଥିଲେ। ଗତ ଗୁରୁବାର ରାତି ଠିକା କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ ମଧ୍ୟରୁ ୩ ଜଣ ବ୍ୟକ୍ତି ଗଣିଜାଙ୍ଗରୁ ଭଦ୍ରକ ଅଭିମୁଖେ ଯାଉଥିଲେ। ରାସ୍ତାରେ ଯାଉଥିବା ବେଳେ ସେମାନେ ଅପହରଣର ଶିକାର ହୋଇଥିଲେ। ଅପହରଣକାରୀମାନେ ଠିକା କାର୍ଯ୍ୟରେ ନିୟୋଜିତ ଅନ୍ୟ ଜଣକୁ ଫୋନ୍ରେ ମୁଣ୍ଡ ଜାମିନ ରଖାଯାଇଥିବା ଏବଂ ମୁକୁଳାଇବା ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଏଥିସହ ଅପହରଣକାରୀମାନେ ପଡ଼ୋଶୀ କେନ୍ଦୁଝର ଜିଲା ଅଭିମୁଖେ ପଳାଇ ଆସିଥିଲେ। ଅପହରଣକାରୀଙ୍କଠାରୁ ଫୋନ୍ରେ ଏପରି ଦାବି ଶୁଣି ବ୍ୟକ୍ତି ଜଣକ ଅପହରଣକାରୀଙ୍କୁ ମଧ୍ୟ ପିଛା କରିଥିଲେ। ଏଥି ସହ ନନ୍ଦିପଦା ଥାନାରେ ପହଞ୍ଚି ପୋଲିସକୁ ଜଣାଇଥିଲେ। କେନ୍ଦୁଝର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡା ଅପହରଣର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର ପାଇଁ ରାତ୍ରିକାଳୀନ ଅପରେଶନ ଆରମ୍ଭ କରିଥିଲେ। ଏସ୍ଡିପିଓ ପଣ୍ଡାଙ୍କ ତତ୍ତ୍ୱବଧାନରେ ଆନନ୍ଦପୁର ଥାନାଧିକାରୀ ଫନୀନ୍ଦ୍ର ଭୂଷଣ ନାୟକ, ଏବଂ ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ନେତୃତ୍ୱରେ ପୋଲିସର ଏକାଧିକ ଟିମ୍ ଅପହରଣକାରୀଙ୍କୁ ପିଛା କରି ଗୋଡ଼ାଇ ଥିଲେ। ଶେଷରେ ଅପହରଣକାରୀମାନେ ଅପହୃତ ୩ ବ୍ୟକ୍ତିଙ୍କୁ ଯାଜପୁର ଜିଲା ପାଖାପାଖି ଅଞ୍ଚଳରେ ଛାଡ଼ି ଫେରାର ହୋଇଯାଇଥିଲେ। ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡାଙ୍କୁ ଉକ୍ତ ଘଟଣା ସମ୍ପର୍କରେ କହିଛନ୍ତି ଯେ, ମଣିଷର ଜୀବନକୁ ପ୍ରାଥମିକତା ସ୍ବରୂପ ପ୍ରାଧାନ୍ୟ ଦେଉ। ତେବେ ଘଟଣା ଭଦ୍ରକ ଜିଲା ଗଣିଜାଙ୍ଗ ଅଞ୍ଚଳରେ ଘଟିଥିବା ବେଳେ ଅପହରଣକାରୀମାନେ କେନ୍ଦୁଝର ଜିଲା ଅଞ୍ଚଳକୁ ପଳାଇ ଆସିଥିଲେ। ଅପହରଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ରାତିରେ ନନ୍ଦିପଦା ଥାନାରେ ପହଞ୍ଚି ଘଟଣା ବାବଦରେ ଜଣାଇବା ପରେ ତୁରନ୍ତ ଅପହରଣକାରୀଙ୍କୁ ପିଛା କରି ଗୋଡ଼ାଇ ଥିଲା। ଅପହୃତ ହୋଇଥିବା ୩ ବ୍ୟକ୍ତିଙ୍କୁ ଅପହରଣକାରୀମାନେ ଶେଷରେ ଛାଡି ଫେରାର ହୋଇଯାଇଥିଲେ। ଏ ନେଇ କୌଣସି ଲିଖିତ ଅଭିଯୋଗ ହୋଇନି। ଅପହରଣକାରୀଙ୍କୁ ପ୍ରାଥମିକ ଭାବେ ଚିହ୍ନଟ କରିଛୁ। ଭଦ୍ରକ ଆଞ୍ଚଳିକ ଥାନାଧିକାରୀ ସୁବ୍ରତ ଦାସ କହିଛନ୍ତି ଯେ, ଏପରି ଘଟଣାକୁ ନେଇ କୌଣସି ଅଭିଯୋଗ ହୋଇନାହିଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।