ଭାରତୀୟ ଦଳକୁ ଫେରିବା ଲାଗି ଭୁବନେଶ୍ବର ଆଶାୟୀ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳକୁ ଫେରିବା ସହ ୨୦୨୭ ଦିନିକିଆ ବିଶ୍ବକପ୍ ଖେଳିବାର ଆଶା ରଖିଛନ୍ତି ପେସ୍ ବୋଲର ଭୁବନେଶ୍ବର କୁମାର। ଉତ୍ତର ପ୍ରଦେଶ ଟି୨୦ ଲିଗ୍ରେ ଏବେ ଭୁବନେଶ୍ବର ଲକ୍ଷ୍ନୌ ଫାଲ୍କନ୍ସ ପାଇଁ ଖେଳୁଛନ୍ତି। ତାଙ୍କ ପ୍ରାଥମିକତା ହେଉଛି ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍ ଖେଳି ଦଳ ପାଇଁ ଭଲ ପ୍ରଦର୍ଶନ କରିବା। ୩୬ ବର୍ଷ ବୟସ୍କ ଭୁବନେଶ୍ବର ୨୦୨୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପାଇଁ ଶେଷଥର ଟି୨୦ ମ୍ୟାଚ୍ ଖେଳିଥିଲେ। ସେହିବର୍ଷ ଭୁବନେଶ୍ବର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ। ୨୦୧୮ ପରଠାରୁ ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ମିଳିନାହିଁ। ଏହାସତ୍ତ୍ବେ ଏହି ଭେଟେରାନ୍ ସ୍ବିଙ୍ଗ୍ ବୋଲର ଘରୋଇ ଓ ଫ୍ରାଞ୍ଚାଇଜି କ୍ରିକେଟ୍ ଖେଳୁଛନ୍ତି। ଦୀର୍ଘଦିନ ହେଲା ଜାତୀୟ ଦଳରୁ ଅନୁପସ୍ଥିତି ସତ୍ତ୍ବେ ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭୁବନେଶ୍ବର ଭାରତୀୟ ଦଳ ପାଇଁ ଖେଳିବାକୁ ଯୋଗ୍ୟ ବୋଲି କ୍ରିକେଟ୍ ବିଶେଷଜ୍ଞ କହି ଆସୁଛନ୍ତି। ୨୦୨୬ ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କ୍ରମାଗତ ୨ୟ ବର୍ଷ ଚମ୍ପିଆନ୍ ହୋଇଥିବା ବେଳେ ଭୁବନେଶ୍ବର ୧୬ ମ୍ୟାଚ୍ରୁ ୨୮ଟି ୱିକେଟ୍ ନେଇଥିଲେ। ସେ ଓଭର ପିଛା ୮ରୁ କମ୍ ରନ୍ ଦେଇଥିଲେ। ନୂଆ ବଲ୍କୁ ସ୍ବିଙ୍ଗ୍ କରିବାରେ ଭୁବନେଶ୍ବର ସିଦ୍ଧହସ୍ତ। ତାଙ୍କ ଅନୁସାରେ, ଉପର ସ୍ତରର କ୍ରିକେଟ୍ ଖେଳିବାର ଆଶା ନ ଥିଲେ କାହିଁକି ୟୁପି ପ୍ରିମିୟର ଲିଗ୍ ଖେଳୁଛି? ଭାରତୀୟ ଦଳକୁ ଫେରି ୨୦୨୭ ବିଶ୍ବକପ୍ ଖେଳିବା ମୋର ଲକ୍ଷ୍ୟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।