ମଝି ଆକାଶରେ ୨ ବିମାନ ମୁହାଁମୁହିଁ: ୪ ପାଇଲଟ୍ ମୃତ
ମାନିଲା,୨୪ା୧୦: ଫିଲିପାଇନ୍ସରେ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଓ ଭୟାବହ ବିମାନ ଦୁର୍ଘଟଣା। ମଝି ଆକାଶରେ ବାୟୁସେନାର ଦୁଇଟି ତାଲିମ ବିମାନ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ପାଇଲଟ୍ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦେଶର ରାଜଧାନୀ ମାନିଲା ନିକଟସ୍ଥ ବାତାଙ୍ଗାସ ପ୍ରଦେଶରେ ଥିବା ଫର୍ଣ୍ଣାଣ୍ଡୋ ଏୟାର ବେସ୍ ପରିସର ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଫିଲିପାଇନ୍ସ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନାନୁଯାୟୀ, ଫିଲିପାଇନ୍ସ ବାୟୁସେନାର ଦୁଇଟି ‘SF-୨୬୦’ ମଡେଲର ଟ୍ରେନର ଏୟାରକ୍ରାଫ୍ଟ ନିଜର ନିୟମିତ ଉଡ଼ାଣ ତାଲିମ ପାଇଁ ଆକାଶକୁ ଉଡ଼ାଣ ଭରିଥିଲେ। ଉଭୟ ବିମାନରେ ଦୁଇ ଦୁଇ ଜଣ କରି ମୋଟ୍ ୪ ଜଣ ପାଇଲଟ୍ ଉପସ୍ଥିତ ଥିଲେ। ତେବେ ଉଡ଼ାଣ ଭରିବାର କିଛି ସମୟ ପରେ, ଏୟାର ବେସ ନିକଟସ୍ଥ ଆକାଶମାର୍ଗରେ କୌଣସି କାରଣରୁ ଉଭୟ ବିମାନ ନିୟନ୍ତ୍ରଣ ହରାଇ ପରସ୍ପର ସହ ସାମ୍ନାସାମ୍ନି ଧକ୍କା ହୋଇଥିଲେ। ଏୟାର ବେସ୍ ଭିତରେ ଖସିପଡ଼ିଲା ବିମାନଧକ୍କା ହେବା ମାତ୍ରକେ ଉଭୟ ବିମାନ ନିଆଁର ପିଣ୍ଡୁଳାରେ ପରିଣତ ହୋଇ ଫର୍ଣ୍ଣାଣ୍ଡୋ ଏୟାର ବେସ୍ ପରିସରରେ ହିଁ ଖସିପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବିମାନ ଦ୍ୱୟ ସମ୍ପୂର୍ଣ୍ଣ ଭାବେ ଚୂରମାର୍ ହୋଇଯାଇଥିଲା। ଦୁର୍ଘଟଣାର ତୁରନ୍ତ ପରେ ସେନା ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ବିମାନରେ ଥିବା ସମସ୍ତ ୪ ଜଣ ପାଇଲଟଙ୍କର ମୃତ୍ୟୁ ହୋଇସାରିଥିଲା।
ବାୟୁସେନା ଏହି ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ମୃତ ପାଇଲଟ୍ମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛି। କେଉଁ କାରଣରୁ ମଝି ଆକାଶରେ ଏହି ଭୟଙ୍କର ଧକ୍କା ହେଲା ତାହା ଜାଣିବା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି। ଯାନ୍ତ୍ରିକ ତ୍ରୁଟି ନା ପାଇଲଟଙ୍କ ଭୁଲ ଯୋଗୁ ଏହି ଅଘଟଣ ଘଟିଲା, ତାହା ବ୍ଲାକ୍ବକ୍ସ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ସ୍ପଷ୍ଟ ହେବ ବୋଲି ବାୟୁସେନା ଅଧିକାରୀମାନେ ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।