ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

Sep 14, 2026 - 18:29
ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଟ୍ରାଫିକ ସମସ୍ୟା ଦୋକାନର ନିଜସ୍ବ ପାର୍କିଂ ସୁବିଧା ନ ଥିବାରୁ ଗ୍ରାହକମାନେ ରାସ୍ତା ଉପରେ ଗାଡ଼ି ରଖି ମଦ କିଣୁଛନ୍ତି। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବା ସହ ନିୟମିତ ଟ୍ରାଫିକ ଜାମ ସୃଷ୍ଟି ହେଉଛି।

ଅସୁରକ୍ଷିତ ପରିବେଶ ରାଉରକେଲା, ସମ୍ବଲପୁର ଓ ବାରିପଦା ଯାଉଥିବା ଯାତ୍ରୀମାନେ (ବିଶେଷ କରି ମହିଳା ଓ ଶିଶୁ) ଏହି ଛକରେ ବସ ପାଇଁ ଅପେକ୍ଷା କରନ୍ତି। ମଦ୍ୟପଙ୍କ ଭିଡ଼ ଯୋଗୁଁ ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।

ଆଇନ ଶୃଙ୍ଖଳା ବିପନ୍ନ ରାତିର ଅନ୍ଧାର ସୁଯୋଗ ନେଇ ମଦ୍ୟପମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଦ୍ୟପାନ କରି ବୋତଲ ଫୋପାଡ଼ି ଚାଲିଯାଉଛନ୍ତି।

ପୂର୍ବରୁ ପ୍ରବଳ ଜନବିରୋଧ ଯୋଗୁ ଏହି ଦୋକାନକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ନୂତନ ନିଲାମ ପରେ ପୁଣି ଏହା ସମାନ ସ୍ଥାନରେ ଖୋଲିଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ସାମ୍ନାକୁ ପାର୍ବଣ ଋତୁ ଆସୁଥିବାରୁ ଭିଡ଼ ଆହୁରି ବଢ଼ିବା ସମ୍ଭାବନା ରହିଛି।

ଏହି ଦୋକାନକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଜିଲାପାଳ ବିଶାଲ ସିଂହ ଏବଂ ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସମସ୍ୟା ଉପୁଜିଲେ ଦୋକାନ ସ୍ଥାନାନ୍ତର ପାଇଁ ନୋଟିସ୍‌ ଦିଆଯିବ ବୋଲି ଅବକାରୀ ଅଧୀକ୍ଷକ ତେଜରାଜ ଜାନି ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।