ମଦ ବିକ୍ରିକୁ ତୀବ୍ର ବିରୋଧ: ତାତିଲେ ଗ୍ରାମବାସୀ, ଭାଙ୍ଗିଲେ କାଉଣ୍ଟର ଆଜ୍ବେଷ୍ଟସ୍
ନୟାଗଡ଼,୭ା୧୧(ଲୋକନାଥ ମିଶ୍ର): ଗାଁରେ ମଦ ବିକ୍ରିକୁ ନେଇ ତେଜିଛି ଅସନ୍ତୋଷ। ମଦ ବିକ୍ରି ବନ୍ଦ କରିବା ଦାବିରେ ଏକଜୁଟ ହୋଇ ରାସ୍ତାରୋକୋ କରିଛନ୍ତି ଗ୍ରାମବାସୀ। ନୟାଗଡ଼ ବ୍ଲକ ମୂଥାଗାଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ଗ୍ରାମରେ ମଦ ବିକ୍ରି ଯୋଗୁ ସାମାଜିକ ପରିବେଶ ନଷ୍ଟ ହେବା ସହ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରି ଗ୍ରାମବାସୀ ମଦ ବିକ୍ରିକୁ ତୀବ୍ର ବିରୋଧ କରିଥିଲେ। ଏପରିକି ମଦ ବିକ୍ରି ହେଉଥିବା ଘରର ଆଜ୍ବେଷ୍ଟସ୍କୁ ଶନିବାର ଭାଙ୍ଗି ଦେଇଛନ୍ତି।
ଏହାକୁ ନେଇ ଗ୍ରାମବାସୀ ଗ୍ରାମର ବାଇପାସ ରୋଡ୍ ଅବରୋଧ କରି ରାସ୍ତାରୋକୋ କରିଥିଲେ।
ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ମଦମୁକ୍ତ ଗାଁ ଗଠନର ଦାବି ଜୋର ଧରିଛି। ଆଇନକୁ ହାତକୁ ନ ନେଇ ଏଭଳି ବେଆଇନ ମଦ କାରବାର ବିରୋଧରେ ପ୍ରଶାସନ ଓ ଅବକାରୀ ବିଭାଗ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହେଉଛି। ଟାଉନ ଥାନା ପୋଲିସ ଓ ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇ ବୁଝାଶୁଝା କରିବା ପରେ ଗ୍ରାମବାସୀ ରାସ୍ତାରୁ ହଟିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।