ମରିଗଲା ମାନବିକତା! ନେପାଳ ବନ୍ୟାରେ ଭାସିଆସିଥିବା ମୃତଦେହରୁ ଅଳଙ୍କାର ଲୁଟିଲେ ଯୁବକ, ଭିଡିଓ ଭାଇରାଲ ପରେ…

Aug 28, 2026 - 14:14
ମରିଗଲା ମାନବିକତା! ନେପାଳ ବନ୍ୟାରେ ଭାସିଆସିଥିବା ମୃତଦେହରୁ ଅଳଙ୍କାର ଲୁଟିଲେ ଯୁବକ, ଭିଡିଓ ଭାଇରାଲ ପରେ…

କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ଯୋଗୁ ହଜାର ହଜାର ପରିବାର ପ୍ରଭାବିତ ହୋଇଛନ୍ତି। ଲୋକେ ନିଜ ଜୀବନ ବଞ୍ଚାଇବା ସହ ପରସ୍ପରକୁ ସାହାଯ୍ୟ କରୁଥିବା ବେଳେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଅମାନବୀୟ ଘଟଣା। ଘଟଣାଟି ସମଗ୍ର ମାନବ ସମାଜକୁ ଚକିତ କରିଦେଇଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସି ଆସିଥିବା ଏକ ମୃତଦେହ ନିକଟରେ ଦୁଇ ଯୁବକ ଥିବା ଦେଖାଯାଉଛନ୍ତି। ସେମାନେ ମୃତଦେହର କାନରୁ ସୁନା ଅଳଙ୍କାର ଚୋରି କରିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦାବି କରାଯାଇଛି।
ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଅମାନବୀୟ କାର୍ଯ୍ୟ କରିଥିବା ଲୋକଙ୍କ ବିରୋଧରେ କଠୋର ଦଣ୍ଡ ଦାବି ହୋଇଛି।

ଭିଡିଓ ଭାଇରାଲ ହେବା ପରେ ଚିତୱନ ଜିଲା ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଛାନଭିନ ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରି ହେପାଜତକୁ ନେଇଛି। ସେମାନଙ୍କ ପରିଚୟ ୨୫ ବର୍ଷୀୟ ମଦନ ଗୁରୁଙ୍ଗ ଓ ୩୮ ବର୍ଷୀୟ ଉମେଶ ଚୌଧୁରୀ ବୋଲି ଜଣାପଡ଼ିଛି।
ପୋଲିସ ଉଭୟଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉଛି। ଭୋଟେକୋଶୀ ବନ୍ୟା ପରେ ନାରାୟଣୀ ଓ ତ୍ରିଶୁଳୀ ନଦୀ କୂଳରୁ ମିଳୁଥିବା ମୃତଦେହଗୁଡ଼ିକର ପରିଚୟ ଓ ପରିଚାଳନା ପାଇଁ ଅଧିକାରୀମାନେ ଉଦ୍ୟମ କରୁଥିବା ସମୟରେ ଏହି ଘଟଣା ଘଟିଛି।

 

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।