ମହାନଦୀ ଜଳ ବିବାଦ: ଦଶହରା ପୂର୍ବରୁ ଆସିପାରେ ଶୁଭ ଖବର

Sep 17, 2026 - 21:43
ମହାନଦୀ ଜଳ ବିବାଦ: ଦଶହରା ପୂର୍ବରୁ ଆସିପାରେ ଶୁଭ ଖବର

ନନ୍ଦିଘୋଷ ବ୍ୟୁରୋ : ମହାନଦୀ ଜଳ ବଣ୍ଟନରେ ଓଡ଼ିଶାର ସ୍ୱାର୍ଥ ସୁରକ୍ଷିତ ରହିବ। ଧୀରେ ଧୀରେ ମହାନଦୀ ଜଳ ବିବାଦର ସମାଧାନ ଆଡ଼କୁ ମାମଲା ଗତି କରୁଛି। ଦଶହରା ପୂର୍ବରୁ ରାଜ୍ୟବାସୀ ଶୁଭ ଖବର ପାଇପାରନ୍ତି ବୋଲି ଆଶା ପ୍ରକାଶ କରିଛନ୍ତି ରାଜ୍ୟ ସରକାରଙ୍କ ମହାଧିବକ୍ତା। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଆଜିର ଶୁଣାଣି ପରେ ସେ କହିଛନ୍ତି, କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଟିମ୍‌ ମଧ୍ୟରେ ହୋଇଥିବା ବୈଠକର ବିବରଣୀ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାରଙ୍କୁ ପ୍ରଦାନ କରାଯାଇଛି। ଏଥିସହ ଉଭୟ ରାଜ୍ୟ ମଧ୍ୟରେ କେତେକ ବିବାଦୀୟ ପ୍ରସଙ୍ଗରେ ହୋଇଥିବା ସହମତିକୁ ମଧ୍ୟ ଟ୍ରିବ୍ୟୁନାଲ ରେକର୍ଡଭୁକ୍ତ କରିଛନ୍ତି। ଆସନ୍ତା ୨୧ ତାରିଖରେ CWC ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଉଭୟ ରାଜ୍ୟର ବୈଷୟିକ ଟିମ୍‌ର ପୁଣି ଏକ ବୈଠକ ବସିବ। ମହାନଦୀ ଜଳ ବଣ୍ଟନ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମାଧାନର ରାସ୍ତା ବାହାର କରିବା ଉପରେ ଏଥିରେ ଆଲୋଚନା ହେବ।

ତେବେ ଛତିଶଗଡ଼ ସହ ବୁଝାମଣା ବେଳେ ଓଡ଼ିଶାର ସ୍ୱାର୍ଥ ସୁରକ୍ଷିତ ରଖିବାକୁ ସରକାର ଗୁରୁତ୍ୱ ଦେଇଛନ୍ତି। ଏଥିରେ କୌଣସି ସାଲିସ କରାଯିବ ନାହିଁ ବୋଲି ମହାଧିବକ୍ତା କହିଛନ୍ତି। ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮ ତାରିଖ ଅପରାହ୍ନ ୩ଟା ୩୦ରେ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।