ମହାରାଷ୍ଟ୍ରର ପୂର୍ବତନ ସଚିବ ସୋନ୍ୟା ଗିଲ୍ଙ୍କ ପରଲୋକ
ମୁମ୍ବାଇ: ବିଶିଷ୍ଟ ମହିଳା ଅଧିକାର କର୍ମୀ ତଥା ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଓମେନ୍ସ ଆସୋସିଏସନ୍ (ଏଆଇଡିଡବ୍ଲ୍ୟୁଏ) ମହାରାଷ୍ଟ୍ରର ପୂର୍ବତନ ସଚିବ ସୋନ୍ୟା ଗିଲ୍ଙ୍କ ପରଲୋକ ଘଟିଛି। ମଙ୍ଗଳବାର ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।
ସୋନ୍ୟା ଗିଲ୍ ବିଶିଷ୍ଟ ସାମ୍ବାଦିକ ପି. ସାଇନାଥଙ୍କ ପତ୍ନୀ। ମହିଳା ଅଧିକାର, ସାମାଜିକ ନ୍ୟାୟ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସେ ଦୀର୍ଘଦିନ ଧରି ସକ୍ରିୟ ଭାବେ କାର୍ଯ୍ୟ କରିଥିଲେ। ଏଆଇଡିଡବ୍ଲ୍ୟୁଏର ମହାରାଷ୍ଟ୍ର ସଚିବ ଭାବେ ସେ ସଂଗଠନର କାର୍ଯ୍ୟକୁ ମଜବୁତ କରିବା ସହ ମହିଳା କର୍ମୀମାନଙ୍କ ପ୍ରଶିକ୍ଷଣ ଓ ସାଂଗଠନିକ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ।
ସୋନ୍ୟା ଗିଲ୍ ‘ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ’ (ପରି)ର ସହ-ପ୍ରତିଷ୍ଠାତା ଓ ଟ୍ରଷ୍ଟି ଥିଲେ। ଭାରତର ଗ୍ରାମୀଣ ଜୀବନ, ସଂସ୍କୃତି, ସାଧାରଣ ଲୋକଙ୍କ ସଂଘର୍ଷ ଓ ଅନୁଭୂତିକୁ ଲିପିବଦ୍ଧ କରିବାରେ ଏହି ସଂଗଠନର ଭୂମିକା ରହିଛି।
ମହିଳା ଅଧିକାର ଆନ୍ଦୋଳନରୁ ଆରମ୍ଭ କରି ଗ୍ରାମୀଣ ଭାରତର ଜୀବନ ଓ ସଂଘର୍ଷକୁ ଦସ୍ତାବିଜୀକରଣ କରିବା ପର୍ଯ୍ୟନ୍ତ ସୋନ୍ୟା ଗିଲ୍ଙ୍କ ଅବଦାନ ରହିଛି। ତାଙ୍କ ପରଲୋକରେ ଅନେକ ସାମାଜିକ କର୍ମୀ, ସହକର୍ମୀ ଓ ତାଙ୍କ ସହ ଜଡ଼ିତ ଅନେକ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।