ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

Sep 28, 2026 - 21:01
ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା ଭାରତ ପାଇଁ ୧୨ତମ ପଦକ।

ହାଇଦ୍ରାବାଦରେ ଜନ୍ମିତ ୨୧ ବର୍ଷୀୟା ଓ୍ବାଲର୍‌ଡ ନଂ.୧ ସ୍ବର୍ଣ୍ଣ ପଦକ ପାଇଁ ଚାଇନାର ଜିଆଓ ଜିଆରୁଇଜୁଆନଙ୍କୁ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଇଥିଲେ। ଦୁଇ ଶୁଟର ନିର୍ଦ୍ଧାରିତ ସିରିଜ୍‌ ସୁଦ୍ଧା ୩୮ ଲେଖାଏ ସ୍କୋର କରିଥିଲେ। ଏଥିଯୋଗୁ ଶୁଟ୍‌-ଅଫ୍‌ର ସାହାରା ନିଆଯାଇଥିଲା। କିନ୍ତୁ ଇଶା ଶୁଟ୍‌-ଅଫ୍‌ର ଅନ୍ତିମ ଶଟ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ।

‘ହଁ, ମୁଁ ଚାପରେ ଥିଲି। କାରଣ ଏହା ମୋ କ୍ୟାରିୟରର ସବୁଠୁ ଲମ୍ବା ମ୍ୟାଚ୍‌ ଥିଲା। ଶେଷଆଡ଼କୁ ମୋ ହାତ ବିନ୍ଧା ହେଉଥିଲା’ ବୋଲି ଇଶା କହିଛନ୍ତି। ଉତ୍ତର କୋରିଆର କିମ୍‌ ହ୍ୟୁନ୍‌ ୩୪ ସ୍କୋର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୂର୍ବରୁ ଦୁଇଥର ଅଲିମ୍ପିକ୍‌ ମେଡାଲିଷ୍ଟ ମନୁ ଭାକର ଫାଇନାଲରେ ଉନ୍ନୀତ ହେବାରେ ବିଫଳ ହେବା ସହ ବିନା ପଦକରେ ଏସିଆନ ଗେମ୍ସ ଅଭିଯାନ ଶେଷ କରିଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।