ମହିଳାଙ୍କ ପାଇଁ କାହିଁକି ଜରୁରୀ ଭିଟାମିନ୍ ବି-୧୨, ଜାଣନ୍ତୁ
ନନ୍ଦିଘୋଷ ବ୍ୟୁରୋ: ଶରୀର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍ । ଭିଟାମିନ୍ ଅଭାବ ସ୍ୱାସ୍ଥ୍ୟକୁ ଦୁର୍ବଳ କରିବା ସହ ଅନେକ ଖରାପ ପ୍ରଭାବ ପକାଇଥାଏ । ତେବେ ଶରୀରରେ ଭିଟାମିନ୍ ବି-୧୨ର ଅଭାବ ମଧ୍ୟ ଶରୀର ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଅନେକ ଲୋକେ ଏହାକୁ ଅଣଦେଖା କରିଥାଆନ୍ତି, ଯେଉଁ କାରଣରୁ ସେମାନେ ଅନେକ ସମସ୍ୟାରେ ପଡ଼ିଥାଆନ୍ତି । ଖାସ୍ କରି ଭିଟାମିନ୍ ବି-୧୨ ଅଭାବ ମହିଳାମାନଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ବି-୧୨ ଅଭାବ ଫଳରେ ମହିଳାମାନେ କେଉଁ ସବୁ ରୋଗର ଶିକାର ହୋଇଥାଆନ୍ତି ।
ସାଧାରଣତଃ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ମହିଳା ନିଜ ଖାଦ୍ୟ ପ୍ରତି ବିଶେଷ ଭାବେ ଧ୍ୟାନ ଦେଇପାରନ୍ତିନାହିଁ । ଯାହା ଫଳରେ ସେମାନଙ୍କୁ କମ୍ ପରିମାଣର ପୋଷକତତ୍ବ ମିଳିଥାଏ । ଶରୀରକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଓ ଫାଇବର ରହିବା ଆବଶ୍ୟକ । ଆମେ ଖାଦ୍ୟ ମାଧ୍ୟମରେ ଶରୀର ପାଇଁ ଭିଟାମିନ୍ ପାଇଥାଉ । ଏହି ଭିଟାମିନ୍ ମଧ୍ୟରୁ ବି-୧୨ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ଯାହା ଶରୀର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହା ସାଧାରଣ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣରେ ମିଳିନଥାଏ, ସେଥିପାଇଁ ଅଧିକାଂଶ ମହିଳାଙ୍କ ଶରୀରରେ ଏହି ଭିଟାମିନ୍ ଅଭାବ ଦେଖାଯାଇଥାଏ ।
ଶରୀର ପାଇଁ କାହିଁକି ଜରୁରୀ ଭିଟାମିନ୍ ବି-୧୨
ଅନ୍ୟ ଭିଟାମିନ୍ ଅପେକ୍ଷା ଭିଟାମିନ୍ ବି -୧୨ ଶରୀର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହା କେବଳ ସ୍ୱାସ୍ଥ୍ୟରେ ଉନ୍ନତି କରେ ତାହା ନୁହେଁ ବରଂ ଏହା ତ୍ୱଚାକୁ କୋମଳ ଓ ସୁନ୍ଦର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯଦି ଶରୀରକୁ ସଠିକ୍ ପରିମାଣର ଭିଟାମିନ୍ ବି -୧୨ ମିଳେ ତାହାଲେ କେଶ ମଜଭୁତ ହେବା ସହ ରକ୍ତର ଅଭାବ ଦୂର ହୋଇଥାଏ । ମାଂସ, ମାଛ ଓ ଅନେକ ପ୍ରକାରର ଶାକାହାରୀ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣର ଭିଟାମିନ୍ ବି -୧୨ ମିଳିଥାଏ ।
ଗର୍ଭବତୀ ମହିଳାମାନଙ୍କଠାରେ ବି-୧୨ ଅଭାବ ଦ୍ବାରା ଦେଖାଦେଇଥାଏ ଏହିସବୁ ସମସ୍ୟା
ମାଆ ଶରୀରରୁ ମିଳୁଥିବା ଭିଟାମିନ୍ ବି -୧୨ ଯୋଗୁଁ ନବଜାତ ଶିଶୁର ବିକାଶରେ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଗର୍ଭବତୀ ମହିଳାମାନଙ୍କ ଶରୀରରେ ଭିଟାମିନ୍ ବି -୧୨ର ଅଭାବ ହେଲେ ଶିଶୁ ଶରୀରରେ ଫୁସଫୁସ, ସ୍ନାୟୁଗତ ସମସ୍ୟା ଓ ଶ୍ୱାସ ସଂକ୍ରମଣ ଭଳି ଅନେକ ସମସ୍ୟା ଦେଖାଯାଏ । ତେଣୁ ଗର୍ଭବସ୍ଥା ସମୟରେ ଭିଟାମିନ୍ ବି -୧୨ ଅଭାବ ହେଲେ ମହିଳାମାନେ ଡାକ୍ତରଙ୍କ ସହ ପରାମର୍ଶ କରି ତୁରନ୍ତ ଚିକିତ୍ସା କରିବା ଉଚିତ୍ ।
ଶରୀରକୁ ଏହିସବୁ ଲାଭ ଦେଇଥାଏ ଭିଟାମିନ୍ ବି-୧୨
- ହୃଦରୋଗ ଓ ଆଲଜାଇମର ଭଳି ରୋଗର ଆଶଙ୍କା କମ୍ କରିଥାଏ ।
- ଏନର୍ଜି ବୁଷ୍ଟର ଓ ଆଣ୍ଟି-ଏଜିଙ୍ଗ ବଢାଇବାରେ ସାହାଯ୍ୟ କରେ ।
- ଇମ୍ୟୁନିଟି ବୃଦ୍ଧି କରିଥାଏ।
- ଶରୀରରେ ରେଡ଼ ବ୍ଲଡ୍ ସେଲ୍ ଗଠନ କରିଥାଏ।
ଭିଟାମିନ୍ ବି-୧୨ ଅଭାବର ଲକ୍ଷଣ
- ଥକ୍କାପଣ
- ରକ୍ତହୀନତା
- ଓଜନ ହ୍ରାସ
- ଭୋକ କମ୍ ଲାଗିବା
ପ୍ରକାଶ ଥାଉ କି, ଶରୀରରେ ଭିଟାମିନ୍ ବି – ୧୨ ଅଭାବ ଦେଖାଦେଲେ, ଅଣ୍ଡା, କ୍ଷୀର, ଦହି, ପନିର, ଓ ଚିକେନ୍ ଖାଆନ୍ତୁ । ଏସବୁ ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣର ଭିଟାମିନ୍ ବି -୧୨ ମିଳିଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।