ମା’ ମଝିଘରିଆଣୀ ମନ୍ଦିରରୁ ରେକର୍ଡ ଆୟ: ୧.୨୬ କୋଟିରୁ ଅଧିକ ଟଙ୍କା ସହ ୩୨ ଗ୍ରାମ୍‌ ମିଳିଲା ସୁନା

Jun 29, 2026 - 22:28
ମା’ ମଝିଘରିଆଣୀ ମନ୍ଦିରରୁ ରେକର୍ଡ ଆୟ: ୧.୨୬ କୋଟିରୁ ଅଧିକ ଟଙ୍କା ସହ ୩୨ ଗ୍ରାମ୍‌ ମିଳିଲା ସୁନା

ରାୟଗଡ଼ା,୨୯।୬(କୈଳସ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନହୁଣ୍ଡି ସୋମବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ମାଜିଷ୍ଟ୍ରେଟ୍‌, ରାୟଗଡ଼ା ତହସିଲ ପ୍ରଶାସନ,ପୋଲିସ ଏବଂ ମନ୍ଦିର ପରିଚାଳନା କମିଟିର ଉପସ୍ଥିତିରେ ହୁଣ୍ଡିଗୁଡ଼ିକ ଖୋଲାଯାଇଛି। ପ୍ରାୟ ୨୫୦ରୁ ଅଧିକ ସ୍ବେଚ୍ଛାସେବୀଙ୍କ ସହଯୋଗରେ ଗଣତି ହୋଇଥିଲା।
ଗଣତି ଶେଷରେ ନଗଦ ଓ ଅନଲାଇନ୍‌ ଦାନକୁ ମିଶାଇ ମୋଟ ୧ କୋଟି ୨୬ ଲକ୍ଷ ୨୬ ହଜାର ୮୫୪ ଟଙ୍କା ସଂଗ୍ରହ ହୋଇଥିବା ବେଳେ ୩୨ ଗ୍ରାମ୍‌ ସୁନା, ୧ କିଲୋ ୩୦୦ ଗ୍ରାମ୍‌ ରୁପା ଏବଂ ୯ଟି ବିଦେଶୀ ମୁଦ୍ରା ମଧ୍ୟ ମିଳିଛି। ଅନଲାଇନ୍‌ ମାଧ୍ୟମରେ ୩ ଲକ୍ଷ ୯୭ ହଜାର ୨୩୧ ଟଙ୍କା ଦାନ ମିଳିଛି। ପୂର୍ବବର୍ଷ ତୁଳନାରେ ଏଥର ଅଧିକ ଦାନରାଶି ସଂଗ୍ରହ ହୋଇଥିବାରୁ ମନ୍ଦିର ପରିଚାଳନା କମିଟି ସନ୍ତୋଷ ପ୍ରକାଶ କରିଛି। ଗଣତି କାର୍ଯ୍ୟରେ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ରାଇସିଂ ବିଡ଼ିକା, ସଦସ୍ୟ ଦେବେନ୍ଦ୍ର ବେହେରା, ରାଧାକୃଷ୍ଣ ଦଳାଇ, ଆକାଉଣ୍ଟାଣ୍ଟ ଏସ୍‌. ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ପ୍ରକ୍ରିୟାର ତଦାରଖ କରିଥିଲେ।
ଗତ ଜାନୁଆରୀ ୧୯ ତାରିଖରେ ହୋଇଥିବା ଗଣତିରେ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା, ୩୦ ଗ୍ରାମ ସୁନା, ୨ କିଲୋ ୧୫୦ ଗ୍ରାମ ରୁପା ଓ ବିଦେଶୀ ମୁଦ୍ରା ମିଳିଥିଲା। ସେହିପରି ଗତବର୍ଷ ଜୁଲାଇ ୭ ତାରିଖରେ ହୋଇଥିବା ଗଣତିରେ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା, ୩୮ ଗ୍ରାମ୍‌ ସୁନା, ୨ କିଲୋ ୫୦୫ ଗ୍ରାମ ରୂପା ଏବଂ ୧୨ଟି ବିଦେଶୀ ମୁଦ୍ରା ମିଳିଛି।
ସଂଗୃହୀତ ଦାନରାଶିକୁ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ସହଯୋଗରେ ମା’ ମଝିଘରିଆଣୀ ଟ୍ରଷ୍ଟର ବ୍ୟାଙ୍କ ଖାତାରେ ଜମା କରାଯିବ ବୋଲି ଟ୍ରଷ୍ଟ ଅଧ୍ୟକ୍ଷ ରାଇସିଂ ବିଡ଼ିକା ସୂଚନା ଦେଇଛନ୍ତି। ଗଣତି କାର୍ଯ୍ୟରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଦେବେଶ ରଞ୍ଜନ ଧର, ରାୟଗଡ଼ା ଶାଖା ପରିଚାଳକ ବିଜୟ କୁମାର ବାରିକ, ରାୟଗଡ଼ା ବଜାର ଶାଖା ପରିଚାଳକ ପ୍ରଜ୍ଞାରଞ୍ଜନ ରଥଙ୍କ ସମେତ ଅନ୍ୟ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।