ମାଟିରେ ମିଶିଲା ଇନ୍ଦ୍ରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ

Nov 01, 2026 - 09:33
ମାଟିରେ ମିଶିଲା ଇନ୍ଦ୍ରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ

ରାଇକିଆ, ୧/୧୧ (ପ୍ରଦୀପ ବେହେରା): ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଇନ୍ଦ୍ରଗଡ଼ ପଞ୍ଚାୟତ ଉପରେ ଫୋକସ୍ କରିଛି କନ୍ଧମାଳ ଜିଲା ପ୍ରଶାସନ। ମାଣିକେଶ୍ୱର ପରେ ଏହି ପଞ୍ଚାୟତରେ ଦ୍ୱିତୀୟ ସର୍ବାଧିକ କ୍ଷୟକ୍ଷତି ଘଟିଛି। ପ୍ରଥମ ଦୁଇ ଦିନ ଏହି ଅଞ୍ଚଳରେ ପହଞ୍ଚିବାକୁ ଅଧିକାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଶନିବାର ଇନ୍ଦ୍ରଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମ, ଆଶ୍ରୟସ୍ଥଳୀ ଏବଂ ରାଇକିଆ ବ୍ଲକ୍‌କୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ଅଧିକାରୀମାନେ।

ବାତ୍ୟାଜନିତ ପ୍ରବଳ ବର୍ଷା ଓ ବନ୍ୟାଜଳ ପଞ୍ଚାୟତ କାର୍ଯ୍ୟାଳୟରେ ପଶି ଏହାକୁ ସମ୍ପୂର୍ଣ୍ଣ ଧୋଇ ଦେଇଛି। ଫଳରେ କାର୍ଯ୍ୟାଳୟ କୋଠାଟି ଭୁଶୁଡ଼ି ମାଟିରେ ମିଶିଯାଇଛି। ଏଥିସହ ପିଡିଏସ୍‌ ଚାଉଳ ଓ ସମସ୍ତ ସରକାରୀ କାଗଜପତ୍ର ନଷ୍ଟ ହୋଇଯାଇଥିବା ବେଳେ କାର୍ଯ୍ୟାଳୟର କାନ୍ଥ ମଧ୍ୟ ଭାଙ୍ଗିଯାଇଛି।

ଇନ୍ଦ୍ରଗଡ଼ ଗ୍ରାମରେ ୨୫ରୁ ଊର୍ଦ୍ଧ୍ୱ ଲୋକଙ୍କ ଘର ଭାଙ୍ଗିଯାଇଛି। ସେହିପରି ନିକଟସ୍ଥ ରତଙ୍ଗି ଓ ଦୁବା ଆଦି ଗ୍ରାମର ୧୩୦ ଜଣ ଲୋକ ଇନ୍ଦ୍ରଗଡ଼ଠାରେ ପ୍ରଶାସନ ପକ୍ଷରୁ ଖୋଲାଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀରେ ରହିଛନ୍ତି।

ଜିଲ୍ଲା ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ରାଇକିଆ ବିଡିଓ ସବ୍ୟସାଚୀ ସାହୁ, ତହସିଲଦାର ବରିୟଲ ମୁର୍ମୁ, ଥାନା ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ର ଏବଂ ସାଂସଦଙ୍କ ପ୍ରତିନିଧି ସନ୍ତୋଷ ଲେଙ୍କା ସେଠାରେ ଉପସ୍ଥିତ ରହି କ୍ଷୟକ୍ଷତିର ଅନୁଧ୍ୟାନ କରିବା ସହ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।

Dharitri – Odisha’s No.1 Odia Daily


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।