ମାଟ୍ରିକ ପରୀକ୍ଷା ପାଇଁ ନଭେମ୍ବର ୨ ରୁ ୨୧ ଯାଏ ଫର୍ମପୂରଣ

Oct 29, 2026 - 15:25
ମାଟ୍ରିକ ପରୀକ୍ଷା ପାଇଁ ନଭେମ୍ବର ୨ ରୁ ୨୧ ଯାଏ ଫର୍ମପୂରଣ

କଟକ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ଆୟୋଜିତ ହେବାକୁ ଥିବା ୨୦୨୭ ମାଟ୍ରିକ (ଦଶମ ଶ୍ରେଣୀ) ବାର୍ଷିକ ପରୀକ୍ଷା ପାଇଁ ଫର୍ମପୂରଣ ଆସନ୍ତା ନଭେମ୍ବର ୨ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ବୋର୍ଡ ପକ୍ଷରୁ ଆଧିକାରିକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରେଗୁଲାର ଏବଂ ଏକ୍ସରେଗୁଲାର ବର୍ଗର ଛାତ୍ରଛାତ୍ରୀ ଏହି ଫର୍ମପୂରଣ କରିପାରିବେ । କେବଳ ଅନଲାଇନ ମାଧ୍ୟମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ବା ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଫର୍ମକୁ ପୂରଣ କରିବାକୁ ନିର୍ଦେଶ ଦିଆଯାଇଛି । 

ଅନ୍ୟପକ୍ଷରେ ପତ୍ରବିନିମୟ ପାଠ୍ୟକ୍ରମର ରେଗୁଲାର ଏବଂ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ନିମନ୍ତେ ଅଫ୍‍ଲାଇନରେ ଫର୍ମପୂରଣ ହେବ। ଏହା ବୋର୍ଡର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟର ଉପ ସମ୍ପାଦକମାନେ କରିବେ। ଏନେଇ ସବିଶେଷ ତଥ୍ୟ ଓ ନିର୍ଦେଶାବଳୀ ବୋର୍ଡ ୱେବ୍‌ସାଇଟରେ ଜାରି କରାଯାଇଛି ।

ଏଥର ମାଟ୍ରିକ ପରୀକ୍ଷାକୁ ସୂଚାରୁରୂପେ କରିବାକୁ ବୋର୍ଡ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ଆସନ୍ତା ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚରେ ଏହି ପରୀକ୍ଷା କରାଯିବାର ଯୋଜନା ରହିଛି। ଫର୍ମପୂରଣ ସମୟରେ ଯେଭଳି କୌଣସି ତ୍ରୁଟି ନ ହେବ; ସେଥିନେଇ ସମସ୍ତ ପ୍ରଧାନଶିକ୍ଷକଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ପରୀକ୍ଷାର୍ଥୀଙ୍କ ନାମ, ଶ୍ରେଣୀ, ରୋଲ ନମ୍ବର ଭଳି ବିଭିନ୍ନ ତଥ୍ୟ କିଭଳି ଦାଖଲ ହେବ ତାହା ଦର୍ଶାଯାଇଛି। ଅନ୍ୟପକ୍ଷରେ ଗତ ୮ ତାରିଖ ଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଆସେସ୍‌ମେଣ୍ଟ ଓ ଅସ୍ପିରେସନାଲ ମାର୍କ ଅପଲୋଡ ପ୍ରକ୍ରିୟା ଜାରି ରହିଛି । ଏହା ଆସନ୍ତା ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦେଶ ଦିଆଯାଇଛି । ପ୍ରଧାନଶିକ୍ଷକମାନେ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ବୋର୍ଡ ଦ୍ବାରା ପ୍ରଦତ୍ତ ଲିଙ୍କରେ ମାର୍କ ଅପଲୋଡ କରୁଥିବା ସୂଚନା ରହିଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।