ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ଦଳ ୧୪ ରନ୍ରେ ବିଜୟୀ ହୋଇଛି। ଏହି ମ୍ୟାଚ୍ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି ନ ଥିଲେ ମଧ୍ୟ ବ୍ୟାଟିଂରେ ତାଙ୍କର ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଚର୍ଚ୍ଚାକୁ ଆସିଛି। ଦଶମ ସ୍ଥାନରେ ବ୍ୟାଟିଂ କରି ସେ ମାତ୍ର ୬ଟି ବଲ୍ରୁ ଅପରାଜିତ ୧୩ ରନ କରିଥିଲେ। ଏଥିରେ ଥିଲା ୩ଟି ଚୌକା। ତେବେ ଏହି ଚୌକା ପଛରେ ରହିଛି ଏକ ରୋଚକ କାହାଣୀ। ପ୍ରିନ୍ସ ଯେଉଁ ବ୍ୟାଟ୍ରେ ଏହି ରନ କରିଥିଲେ, ତାହା ତାଙ୍କର ନୁହେଁ, ବରଂ ଓପନର ଅଭିଷେକ ଶର୍ମାଙ୍କର ଥିଲା।
ଇନ୍ଦୋର ଟି-୨୦ ମ୍ୟାଚ ପରେ ବିସିସିଆଇ ପକ୍ଷରୁ ଜାରି ଏକ ଭିଡିଓରେ ପ୍ରିନ୍ସ ଯାଦବ ଏହି କଥାର ଖୁଲାସା କରିଥିଲେ। ଅଭିଷେକ ତାଙ୍କୁ ବ୍ୟାଟ ଦେବା ସମୟରେ ମଜାଳିଆ ଢଙ୍ଗରେ ଏହାର ସମ୍ମାନ ରଖିବାକୁ କହିଥିଲେ।
ପ୍ରିନ୍ସ କହିଥିଲେ, ଅଭିଷେକ ଭାଇ ବ୍ୟାଟ ଦେଇଥିଲେ। ସେ ବ୍ୟାଟ୍ର ଇଜ୍ଜତ ରଖିବାକୁ କହିଥିଲେ। ମୁଁ ତାଙ୍କ କଥା ରଖିଛି। ଏହା ପ୍ରଥମ ଥର ନୁହେଁ। ଆୟରଲ୍ୟାଣ୍ଡ ଗସ୍ତ ସମୟରେ ମଧ୍ୟ ସେ ଅଭିଷେକଙ୍କ ବ୍ୟାଟ ବ୍ୟବହାର କରି ଗୋଟିଏ ଛକା ମାରିଥିଲେ। ଆଗାମୀ ମ୍ୟାଚ୍ରେ ମଧ୍ୟ ସେ ଅଭିଷେକଙ୍କ ବ୍ୟାଟ ନେଇ ଖେଳିବେ ବୋଲି କହିଥିଲେ। ଏଥିରେ ଅଭିଷେକ ମଧ୍ୟ ସମ୍ମତି ଜଣାଇଥିଲେ।
ପ୍ରିନ୍ସଙ୍କ ବ୍ୟାଟିଂ ଦକ୍ଷତାକୁ ଅଭିଷେକ ଶର୍ମା ଖୁବ ପ୍ରଶଂସା କରିଥିଲେ। ଦିଲ୍ଲୀରେ ଖେଳାଯାଉଥିବା ସିଙ୍ଗଲ ଉଇକେଟ କ୍ରିକେଟ୍ରେ ପ୍ରିନ୍ସଙ୍କ ନାଁ ରହିଛି ବୋଲି ସେ କହିଥିଲେ। ଏହି ଫର୍ମାଟ୍ରେ ଖେଳାଳିଙ୍କୁ ନିଜେ ବ୍ୟାଟିଂ ଓ ବୋଲିଂ ଉଭୟ କରିବାକୁ ପଡ଼େ।
ପ୍ରିନ୍ସଙ୍କ ବଡ଼ ସଟ ଖେଳିବାର କ୍ଷମତାକୁ ମଧ୍ୟ ଅଭିଷେକ ପ୍ରଶଂସା କରିଥିଲେ। ତାଙ୍କ କହିବା ଅନୁଯାୟୀ, ବ୍ୟାଟ ତାଙ୍କର ହୋଇପାରେ, କିନ୍ତୁ ବଲ୍କୁ ସୀମାରେଖା ପାର୍ କରାଇବାର ଶକ୍ତି ପ୍ରିନ୍ସଙ୍କର।
ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ଭାରତ ଏବେ ୨-୧ରେ ଆଗୁଆ ରହିଛି। ଆସନ୍ତା ଅକ୍ଟୋବର ୧୪ରେ ହାଇଦ୍ରାବାଦରେ ଉଭୟ ଦଳ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍ରେ ବିଜୟୀ ହେଲେ ଭାରତ ସିରିଜ ନିଜ ନାମରେ କରିବ। ଅନ୍ୟପକ୍ଷରେ, ୱେଷ୍ଟଇଣ୍ଡିଜ ଜିତିଲେ ସିରିଜର ଫଳାଫଳ ପଞ୍ଚମ ତଥା ଶେଷ ମ୍ୟାଚକୁ ଯିବ। ଅକ୍ଟୋବର ୧୭ରେ ବେଙ୍ଗାଲୁରୁରେ ହେବାକୁ ଥିବା ଏହି ମ୍ୟାଚ ସିରିଜ୍ର ନିର୍ଣ୍ଣାୟକ ମୁକାବିଲା ପାଲଟିପାରେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।