ମାତ୍ର ୨୮ ବର୍ଷ ବୟସରେ କ୍ରିକେଟ୍‌ରୁ ଅବସର ନେଇ ଚକିତ କରିଦେଲେ ଏହି କ୍ରିକେଟର୍‌

Oct 29, 2026 - 10:23
ମାତ୍ର ୨୮ ବର୍ଷ ବୟସରେ କ୍ରିକେଟ୍‌ରୁ ଅବସର ନେଇ ଚକିତ କରିଦେଲେ ଏହି କ୍ରିକେଟର୍‌

ଡବଲିନ,୨୯।୧୦: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି ଆୟରଲାଣ୍ଡର ଲେଗ ସ୍ପିନର ବେନ ହ୍ବାଇଟ। ମାତ୍ର ୨୮ ବର୍ଷ ବୟସରେ ସେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଆୟରଲାଣ୍ଡ ଦଳର ଜଣେ ପ୍ରମୁଖ ଖେଳାଳି ଭାବେ ସେ ତିନୋଟି ଟି-୨୦ ବିଶ୍ୱକପ୍‌ରେ ଦେଶର ପ୍ରତିନିଧିତ୍ୱ କରିଥିଲେ। ୨୦୨୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିବା ବେନଙ୍କୁ ଶେଷ ଥର ପାଇଁ ୨୦୨୫ ଡିସେମ୍ବରରେ ବାଂଲାଦେଶ ବିପକ୍ଷରେ ଆୟରଲାଣ୍ଡ ପକ୍ଷରୁ ଖେଳିବାର ସୁଯୋଗ ମିଳିଥିଲା। ଏହି ମ୍ୟାଚ୍‌ରେ ଆୟରଲାଣ୍ଡ ବିଜୟୀ ହୋଇଥିଲା।
ବେନ ହ୍ବାଇଟ ଆୟରଲାଣ୍ଡ ପାଇଁ ତିନୋଟି ଫର୍ମାଟ୍‌ରେ ଖେଳିବାର ସୁଯୋଗ ପାଇଥିଲେ। ଏହା ସହିତ ସେ ୨୦୨୧, ୨୦୨୪ ଓ ୨୦୨୬ ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ଦଳର ଅଂଶ ଥିଲେ। ଅବସର ଘୋଷଣା କରି ବେନ କହିଛନ୍ତି, ନିଜ ଦେଶ ପାଇଁ ଖେଳିବା ତାଙ୍କ ପିଲାଦିନର ସ୍ବପ୍ନ ଥିଲା। ଏହି ସ୍ବପ୍ନକୁ ପୂରଣ କରିବାର ସୁଯୋଗ ଦେଇଥିବାରୁ ସେ କ୍ରିକେଟ ଆୟରଲାଣ୍ଡକୁ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି, ତିନୋଟି ଆଇସିସି ଟି-୨୦ ବିଶ୍ୱକପ୍‌ରେ ଆୟରଲାଣ୍ଡର ପ୍ରତିନିଧିତ୍ୱ କରିବା ଏବଂ ଟେଷ୍ଟ କ୍ରିକେଟ ଖେଳିବା ମୋ ପାଇଁ ଏକ ଅବିଶ୍ୱସନୀୟ ଅନୁଭୂତି। ମୁଁ କେବେ ଭାବି ନ ଥିଲି ଯେ ଏତେ ବଡ଼ ସଫଳତା ପାଇପାରିବି। ଦେଶ ପାଇଁ ଖେଳିଥିବାରୁ ମୁଁ ସବୁବେଳେ ଗର୍ବ ଅନୁଭବ କରିବି। ଏହି ଯାତ୍ରାରେ ମିଳିଥିବା ଅନୁଭୂତି ଓ ସ୍ମୃତି ପାଇଁ ମୁଁ ସବୁବେଳେ କୃତଜ୍ଞ ରହିବି।
ଆୟରଲାଣ୍ଡର ଏହି ଲେଗ ସ୍ପିନର ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୪୩ଟି ମ୍ୟାଚ ଖେଳିଛନ୍ତି। ଏଥିରେ ୩ଟି ଟେଷ୍ଟ, ୨ଟି ଦିନିକିଆ ଓ ୩୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ରହିଛି। ଟେଷ୍ଟ କ୍ରିକେଟ୍‌ରେ ସେ ୪ଟି ଉଇକେଟ ନେଇଥିବାବେଳେ ଦିନିକିଆରେ ତାଙ୍କ ନାମରେ ଗୋଟିଏ ଉଇକେଟ ରହିଛି। ଅନ୍ୟପଟେ ଅନ୍ତର୍ଜାତୀୟ ଟି-୨୦ରେ ସେ ୨୭.୩୮ ହାରରେ ମୋଟ ୩୬ଟି ଉଇକେଟ ହାସଲ କରିଛନ୍ତି। ନିଜ ସ୍ପିନ ବୋଲିଂ ଦ୍ୱାରା ସେ ଅନେକ ମ୍ୟାଚ୍‌ରେ ଆୟରଲାଣ୍ଡ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।