“ମୁଁ ଓ ମୋର ପୁରା ପରିବାର ଆସୁଛି, ଆପଣ ବି ଆସନ୍ତୁ”: ଅରବିନ୍ଦ କେଜ୍ରିୱାଲ

Oct 09, 2026 - 16:38
“ମୁଁ ଓ ମୋର ପୁରା ପରିବାର ଆସୁଛି, ଆପଣ ବି ଆସନ୍ତୁ”: ଅରବିନ୍ଦ କେଜ୍ରିୱାଲ

ନନ୍ଦିଘୋଷ ବ୍ୟୁରୋ: ପୁଣି କମ୍ପିବ ଜନ୍ତରମନ୍ତର । ଦିଲ୍ଲୀ ଜନ୍ତରମନ୍ତରଠାରେ ସିଜେପିର ଆନ୍ଦୋଳନ ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ସାମ୍ନାକୁ ଆସିଛି । ଅରବିନ୍ଦ ଓ ତାଙ୍କ ପରିବାର ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ସେ କହିଛନ୍ତି । ଏନେଇ କେଜ୍ରିୱାଲ କହିଛନ୍ତି , “ସରକାର ଦେଶର ଗଣତନ୍ତ୍ର ସହ ଖେଳୁଛନ୍ତି । ଯେଉଁମାନେ ବିଜେପିକୁ ଭୋଟ ଦେଉନାହାନ୍ତି ସେମାନଙ୍କ ଭୋଟ୍ କାଟି ଦିଆଯାଉଥିବା ବେଳେ ନକଲି ଭୋଟ ଯୋଡ଼ାଯାଉଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଦ୍ବାରା ଏହି କାର୍ଯ୍ୟ ଖୋଲାଖୋଲି ଭାବେ ଚାଲିଥିବା ସେ ଅଭିଯୋଗ କରିଛନ୍ତି । ଦେଶବାସୀ ବହୁ ସଂଖ୍ୟାରେ ଯନ୍ତରମନ୍ତରରେ ପହଞ୍ଚି ଆନ୍ଦୋଳନରେ ସାମିଲ ହେବାକୁ ସେ ଆହ୍ବନ ଦେଇଛନ୍ତି । ସେ ଆଉ ମଧ୍ୟ କହିଛନ୍ତି, ଏହା କୌଣସି ଜଣେ ବ୍ୟକ୍ତି କିମ୍ବା ଗୋଟିଏ ରାଜନୈତିକ ଦଳର ପ୍ରସଙ୍ଗ ନୁହେଁ ବରଂ ସମଗ୍ର ଦେଶର ପ୍ରସଙ୍ଗ ଅଟେ” ।

ସିଜେପିର ଆନ୍ଦୋଳନ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଭିନ୍ନ ରାଜ୍ୟରୁ ହଜାର ହଜାର ସୁରକ୍ଷାକର୍ମୀଙ୍କୁ ଡ଼କାଯାଉଥିବା ବେଳେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ଯବାନମାନଙ୍କୁ ମଧ୍ୟ ମୁତୟନ କରାଯାଇଛି । ଏହାସହ ଅନେକ ମେଟ୍ରୋ ସେବା ଓ ଟ୍ରେନ୍ ଚଳାଚଳ ଉପରେ କଟକଣା ଲଗାଯାଇଥିବା ଖବରରେ ସାମ୍ନାକୁ ଆସିଛି । ଅନ୍ୟପଟେ, CJPକୁ ଏହି ଆନ୍ଦୋଳନ ପାଇଁ ଅନୁମତି ମିଳିନାହିଁ ବୋଲି ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି। ଆନ୍ଦୋଳନରେ ସାମିଲ ହେଉଥିବା ଲୋକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ। ତେବେ ଜନ୍ତରମନ୍ତରରେ ହେବାକୁ ଥିବା ପ୍ରତିବାଦ ଉପରେ ସାରା ଦେଶର ନଜର ରହିଛି ।

ପ୍ରକାଶଥାଉ କି, ଆନ୍ଦୋଳନ ପୂର୍ବରୁ ଗୁରୁବାର ବେଙ୍ଗାଲୁରୁର ଫ୍ରଡ଼ମ୍ ପାର୍କଠାରେ କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ ସମାବେଶର ଆୟୋଜନ କରାଯାଇଥିଲା ଏଥିରେ ଜଣାଶୁଣା ୟୁଟ୍ୟୁବର୍ ଧ୍ରୁବ ରାଠୀ ଓ ବରିଷ୍ଠ ଅଭିନେତା ପ୍ରକାଶ ରାଜ ସାମିଲ ହୋଇଥିଲେ । ଯାହା ଏହି ଆନ୍ଦୋଳନକୁ ଆହୁରି ଶାଣିତ କରିଛି । ଏହି କାର୍ଯ୍ୟକ୍ରମରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଏକ ‘”ପିପୁଲ୍ସ ଟ୍ରିବ୍ୟୁନାଲ୍” ଓ ଦିଲ୍ଲୀ ପୋଲିସ ଦ୍ୱାରା ନିର୍ଯାତିତ ମହିଳା ସାମ୍ବାଦିକାଙ୍କ ସମର୍ଥନରେ ଏକ ”ଚପଲ ବିକ୍ଷୋଭ” ମଧ୍ୟ ଅନୁଷ୍ଠିତ ହୋଇଥିଲା।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।