ମୂଳ ମନ୍ଦିରକୁ ବାହୁଡ଼ିଲେ ମା’ ବୁଢ଼ୀ ଠାକୁରାଣୀ: ରଙ୍ଗ-ଫଗୁ ଖେଳି ବର୍ଷକ ପାଇଁ ମେଲାଣି ଦେଲେ ଭକ୍ତ

Oct 24, 2026 - 21:47
ମୂଳ ମନ୍ଦିରକୁ ବାହୁଡ଼ିଲେ ମା’ ବୁଢ଼ୀ ଠାକୁରାଣୀ: ରଙ୍ଗ-ଫଗୁ ଖେଳି ବର୍ଷକ ପାଇଁ ମେଲାଣି ଦେଲେ ଭକ୍ତ

ଦିଗପହଣ୍ଡି, ୨୪/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରର ଗଣପର୍ବ ଥା ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ବାର୍ଷିକ ଯାତ୍ରା ମହୋତ୍ସବ ଶନିବାର ବିଳମ୍ବିତ ରାତିରେ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି। ଆଶ୍ୱିନ ଚତୁର୍ଦ୍ଦଶୀ ନିଶାର୍ଦ୍ଧରେ ଅସ୍ଥାୟୀ ଯାତ୍ରା ପୀଠରେ ମା’ଙ୍କୁ ପଞ୍ଚୋପଚାରରେ ଯୋଗିନୀ ପୂଜାକ୍ରମେ ବାହୁଡ଼ା ଯାତ୍ରା ନିମନ୍ତେ ଆବାହନ କରାଯିବା ପରେ ଦେବୀଙ୍କୁ ମହାପୂଜା ଅର୍ପଣ କରାଯାଇଥିଲା। ପାରମ୍ପରିକ ରୀତିନୀତି ଅନୁସାରେ ଦୀର୍ଘ ସମୟ ସେବା ପୂଜା ଓ ବନ୍ଦାପନା ପରେ ମୁଖ୍ୟ ଘଟରୁ ଆଜ୍ଞାମାଳ ଖସିଥିଲା। ଏହାପରେ ବାଜା, ରୋଷଣୀ, ବାଣ ଆତସବାଜି ଓ ଭକ୍ତଙ୍କ ନୃତ୍ୟ ସହ ମା’ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀ ଝୁଲି ଝୁଲି ଅସ୍ଥାୟୀ ପୀଠରୁ ନିଜର ମୂଳ ମନ୍ଦିରକୁ ବାହୁଡ଼ି ଯାଇଥିଲେ। ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ରଙ୍ଗ-ଫଗୁ ଖେଳି ବର୍ଷକ ପାଇଁ ମା’ଙ୍କୁ ମେଲାଣି ଦେଇଛନ୍ତି।

ଏହି ଯାତ୍ରା କାଳରେ ଅସ୍ଥାୟୀ ଯାତ୍ରା ପୀଠରେ ଉଗ୍ରଚଣ୍ଡୀ ମଣ୍ଡଳ ତଥା ଶକ୍ତି ପଲ୍ଲବ ମନ୍ତ୍ରରେ ପୂଜାବିଧି କରାଯାଇଥିଲା। ସହସ୍ର କୁମ୍ଭାଭିଷେକ ମାଜଣା ପରେ ମା’ଙ୍କୁ ନୂତନ ବସ୍ତ୍ର ଓ ଆଭୂଷଣରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ମୁଖ୍ୟ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମା, ଶିବା ମିଶ୍ର ଏବଂ ସେବାୟତ (ଜାନି) ଆଦିତ୍ୟ ପାତ୍ର, ଶମ୍ଭୁନାଥ ପାତ୍ର, ସୋମନାଥ ପାତ୍ର, ପ୍ରଫୁଲ୍ଲ ପାତ୍ର, ତାରିଣୀ ପାତ୍ର ଓ ସନ୍ତୋଷ ପାତ୍ର ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା ତୁଲାଇଥିଲେ। ଚଳିତ ବର୍ଷ ଯାତ୍ରାରେ ଚୌଧୁରୀ ଟିକରପଡ଼ା ଓ ଚାଞ୍ଚଡାପଲ୍ଲୀ ଗ୍ରାମର ପୌରାଣିକ ରାମାୟଣ ବାଦି ନାଚ ପରିବେଷଣ କରାଯାଇଥିବା ବେଳେ ଭୁବନେଶ୍ୱରର ଲାଇଭ୍ ବ୍ୟାଣ୍ଡ ଗାୟିକା ଇରା ମହାନ୍ତିଙ୍କ ସଙ୍ଗୀତ ପରିବେଶଣ ଏବଂ ସୁଶାନ୍ତ କୁମାର ସାହୁ (ନାଗା)ଙ୍କ ନିର୍ଦ୍ଦେଶନାରେ ‘ମା’ ଫୁଲସୁନ୍ଦରୀ ନାଟ୍ୟ ସଂସଦ’ ଦ୍ୱାରା ସାମାଜିକ ନାଟକ ‘ହରିଶ୍ଚନ୍ଦ୍ର’ ମଞ୍ଚସ୍ଥ ହୋଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଶୁକ୍ରବାର ସନ୍ଧ୍ୟାରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଯାତ୍ରା ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ଯାତ୍ରା ପରିଚାଳନା କମିଟି ପକ୍ଷରୁ ବିଧାୟକଙ୍କୁ ବିରାଟ ଶୋଭାଯାତ୍ରାରେ ଅସ୍ଥାୟୀ ଯାତ୍ରା ପୀଠକୁ ପାଛୋଟି ନିଆଯାଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସହର ଓ ଆଖପାଖ ଅଞ୍ଚଳରୁ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମରେ ଯାତ୍ରା ପୀଠ କମ୍ପିଉଠିଥିଲା। ଯାତ୍ରା ପରିଚାଳନା କମିଟି ସଭାପତି ବିଚିତ୍ରାନନ୍ଦ ପଟ୍ଟନାୟକ, ଉପସଭାପତି ଏ. ସାକିଲି, ସମ୍ପାଦକ ଦୀପକ କୁମାର ମିଶ୍ର, କୋଷାଧ୍ୟକ୍ଷ ଆଶିଷ କୁମାର ପଟ୍ଟନାୟକ, ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।