ମେଟାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଫେସବୁକ୍‌-ଇନ୍‌ଷ୍ଟାଗ୍ରାମରେ କଣ୍ଟେଣ୍ଟ…

Oct 20, 2026 - 07:43
ମେଟାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଫେସବୁକ୍‌-ଇନ୍‌ଷ୍ଟାଗ୍ରାମରେ କଣ୍ଟେଣ୍ଟ…

ନୂଆଦିଲ୍ଲୀ,୨୦।୧୦: ସୋସିଆଲ ମିଡିଆରେ ଭ୍ରମାତ୍ମକ ତଥ୍ୟ ଓ ହିଂସା ସୃଷ୍ଟି କରିପାରୁଥିବା କଣ୍ଟେଣ୍ଟର ପ୍ରସାରକୁ ନେଇ ମେଟାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଫେସବୁକ୍‌ ଓ ଇନ୍‌ଷ୍ଟାଗ୍ରାମର ମାଲିକାନା କମ୍ପାନି ମେଟାକୁ ନିଜର ରିକମେଣ୍ଡେସନ୍‌ ସିଷ୍ଟମ୍‌ ଓ କଣ୍ଟେଣ୍ଟ ରାଙ୍କିଂ ବ୍ୟବସ୍ଥାର ସମୀକ୍ଷା କରିବାକୁ କୁହାଯାଇଛି । ଏହାଦ୍ୱାରା ନିର୍ଦ୍ଦିଷ୍ଟ କିଛି କାହାଣୀ କିମ୍ବା ଖବରକୁ ଅଧିକ ପ୍ରଚାର କରାଯିବା ଏବଂ ଭୁଲ୍‌ ତଥ୍ୟକୁ ବାରମ୍ବାର ୟୁଜର୍ସଙ୍କ ପାଖରେ ପହଞ୍ଚାଇବା ଉପରେ ନିୟନ୍ତ୍ରଣ ରଖାଯାଇପାରିବ।

ଅକ୍ଟୋବର ୧୦ ତାରିଖରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (MeitY) ଏନେଇ ଏକ ପରାମର୍ଶ ଜାରି କରିଥିବା ସୂଚନା ମିଳିଛି । ଏଥିରେ ସାର୍ବଜନୀନ କାର୍ଯ୍ୟକ୍ରମ ସହ ଜଡ଼ିତ ଫଟୋ, ଭିଡିଓ, ଗ୍ରାଫିକ୍ସ ଓ ଅନ୍ୟାନ୍ୟ କଣ୍ଟେଣ୍ଟର ସଠିକ୍‌ ତଥ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷକରି କୌଣସି ଫଟୋ କିମ୍ବା ଭିଡିଓର ପ୍ରକୃତ ତାରିଖ, ସ୍ଥାନ ଓ ପରିସ୍ଥିତି ସ୍ପଷ୍ଟ ହେଉନଥିଲେ, ଏହାର ସଠିକତା ଯାଞ୍ଚ କରିବାକୁ କୁହାଯାଇଛି।
ମନ୍ତ୍ରଣାଳୟର ପରାମର୍ଶରେ କୌଣସି ନିର୍ଦ୍ଦିଷ୍ଟ ଘଟଣାର ଉଲ୍ଲେଖ କରାଯାଇନାହିଁ । ତେବେ ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (CJP) ଓ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ମଧ୍ୟରେ ଏହି ପରାମର୍ଶ ଆସିଛି। ଭୋଟର ତାଲିକାର ସ୍ପେଶାଲ୍‌ ଇଣ୍ଟେନ୍ସିଭ୍‌ ରିଭିଜନ୍‌ (SIR) ପ୍ରକ୍ରିୟାକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏହି ପ୍ରତିବାଦ ହେଉଥିବା ରିପୋର୍ଟରେ କୁହାଯାଇଛି।ମେଟାର ଆଲଗୋରିଦମ୍‌ ଯେପରି ଭ୍ରମାତ୍ମକ, ହେରଫେର କରାଯାଇଥିବା କିମ୍ବା ପ୍ରସଙ୍ଗ ବାହାରର କଣ୍ଟେଣ୍ଟକୁ ଅଧିକ ଗୁରୁତ୍ୱ ନଦିଏ, ସେଥିପାଇଁ ବ୍ୟବସ୍ଥାର ସମୀକ୍ଷା କରିବାକୁ କୁହାଯାଇଛି। ଏହା ସହିତ ଏଭଳି କଣ୍ଟେଣ୍ଟକୁ ବାରମ୍ବାର ୟୁଜର୍ସଙ୍କ ପାଖରେ ସୁପାରିସ୍‌ କରିବାରୁ ରୋକିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ମନ୍ତ୍ରଣାଳୟକୁ ବିଭିନ୍ନ ଏଜେନ୍ସି ପକ୍ଷରୁ ରିପୋର୍ଟ ମିଳିଥିବା କୁହାଯାଇଛି । ଏଥିରେ ମେଟାର ପ୍ଲାଟଫର୍ମଗୁଡ଼ିକ ସମସ୍ତ କାହାଣୀକୁ ସମାନ ଭାବେ ପ୍ରଚାର କରୁନଥିବା ଏବଂ କିଛି ପ୍ରକାରର କଣ୍ଟେଣ୍ଟକୁ ଅଧିକ ପସନ୍ଦ କରୁଥିବା ନେଇ ଆଶଙ୍କା ପ୍ରକାଶ କରାଯାଇଛି। ଏଥିସହିତ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଓ ଅନ୍ୟ ଅଧିକୃତ ସରକାରୀ ଏଜେନ୍ସିଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସହଯୋଗ କରିବାକୁ ମେଟାକୁ କୁହାଯାଇଛି। ପ୍ରଚଳିତ ଆଇନ ଏବଂ ଆଇଟି ନିୟମ, ୨୦୨୧ ଅନୁଯାୟୀ ଆବଶ୍ୟକ ତଥ୍ୟ ଓ ସହାୟତା ଯୋଗାଇଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ମନ୍ତ୍ରଣାଳୟର ଅବଲୋକନ ଅନୁଯାୟୀ, ସାର୍ବଜନୀନ କାର୍ଯ୍ୟକ୍ରମ ସହ ଜଡ଼ିତ କିଛି ଭିଡିଓ, ଫଟୋ, ବୟାନ ଓ ଗ୍ରାଫିକ୍ସ ମେଟାର ପ୍ଲାଟଫର୍ମ ମାଧ୍ୟମରେ ୟୁଜର୍ସଙ୍କୁ ସୁପାରିସ୍‌ କରାଯାଉଥିଲା। ଏହି କଣ୍ଟେଣ୍ଟଗୁଡ଼ିକ ସାର୍ବଜନୀନ ଶାନ୍ତି ଓ ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଭାବ ପକାଇପାରେ ବୋଲି ମନ୍ତ୍ରଣାଳୟ ଚିନ୍ତା ପ୍ରକାଶ କରିଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।