ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….
ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍ ସାମିଲ କରିଛନ୍ତି, ଯାହାଙ୍କ ସହ ରୁଷିଆର ଭଲ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । ଏହାସହ ୟୁକ୍ରେନ୍ ସଂଘର୍ଷର ଶେଷ ପାଇଁ ମୋଦି ଲଗାତାର ପ୍ରଶ୍ନ ଉଠାଉଥିବା ପୁଟିନ୍ କହିଛନ୍ତି।
ପୁଟିନ୍ କହିଛନ୍ତି ଯେ, ମୋଦିଙ୍କ ସହ ରୁଷିଆର ଭଲ ଓ ବ୍ୟକ୍ତିଗତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଥିଲେ ମଧ୍ୟ ସେ ୟୁକ୍ରେନ୍ରେ ଚାଲିଥିବା ସଂଘର୍ଷକୁ ଶେଷ କରିବା ପ୍ରସଙ୍ଗ ଲଗାତାର ଉଠାଇଥାନ୍ତି । ଉଭୟ ପକ୍ଷ ଗ୍ରହଣ କରିପାରିବା ଭଳି ସମାଧାନ ଖୋଜିବାରେ ମୋଦିଙ୍କ ଗଭୀର ଆଗ୍ରହ ରହିଛି ବୋଲି ପୁଟିନ୍ କହିଛନ୍ତି। ମୋଦି ଏହି ପ୍ରସଙ୍ଗରେ ଏକ ନିରପେକ୍ଷ ଆଭିମୁଖ୍ୟ ରଖୁଛନ୍ତି। ଏଥିସହ ଯୁଦ୍ଧର ଶେଷ ଚାହୁଁଛନ୍ତି । ଶାନ୍ତିପୂର୍ଣ୍ଣ ଉପାୟରେ ଏବଂ ଯଥାଶୀଘ୍ର ସଂଘର୍ଷ ଶେଷ କରିବା ପାଇଁ ମୋଦିଙ୍କ ଇଚ୍ଛାକୁ ରୁଷିଆ ସମ୍ମାନ କରୁଥିବା ପୁଟିନ୍ କହିଛନ୍ତି ।
ଏହି ଅବସରରେ ପୁଟିନ୍ ପୁଣିଥରେ କହିଛନ୍ତି ଯେ, ରୁଷିଆ ୟୁରୋପୀୟ ଦେଶଗୁଡ଼ିକ ଉପରେ ଆକ୍ରମଣ କରିବାର ଯୋଜନା ରଖିନାହିଁ । ତେବେ ଯଦି ରୁଷିଆ ଉପରେ ସିଧାସଳଖ ଆକ୍ରମଣ ହୁଏ, ତେବେ ଏହାର ଜବାବ ଦେବା ପାଇଁ ରୁଷିଆ ପାଖରେ ଥିବା ସମସ୍ତ ଅସ୍ତ୍ର ବ୍ୟବହାର କରାଯାଇପାରେ ବୋଲି ସେ କହିଛନ୍ତି । ବିଶେଷକରି କାଲିନିନଗ୍ରାଡ୍ କିମ୍ବା ରୁଷିଆର ଅନ୍ୟ କୌଣସି ଅଞ୍ଚଳକୁ ଟାର୍ଗେଟ୍ କରି ସିଧାସଳଖ ଆକ୍ରମଣ କରାଗଲେ, ରୁଷିଆର ସମସ୍ତ ଅସ୍ତ୍ର ବ୍ୟବହାରର ପ୍ରଶ୍ନ ତୁରନ୍ତ ଏଜେଣ୍ଡାକୁ ଆସିବ ବୋଲି ପୁଟିନ୍ ସ୍ପଷ୍ଟ କରିଛନ୍ତି । ଏହା ଧମକ ନୁହେଁ, ବରଂ ରୁଷିଆକୁ ଧମକ ଦିଆଗଲେ ତାହାର ପ୍ରତିକ୍ରିୟା ବୋଲି ସେ କହିଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।