ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

Sep 15, 2026 - 15:42
ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ ୮ମ ଥର ପାଇଁ ଏସିଆ କପ ଟ୍ରଫି ଜିତିଛି। ତେବେ ଚାମ୍ପିଅନ ହେବା ସତ୍ତ୍ୱେ ଏପର୍ଯ୍ୟନ୍ତ ଭାରତୀୟ ଦଳ ହାତରେ ଟ୍ରଫି ପହଞ୍ଚିନାହିଁ।

ଏହାର କାରଣ ହେଉଛି ଟ୍ରଫି ପ୍ରଦାନକୁ ନେଇ ବିବାଦ। ଭାରତୀୟ ଦଳ ଏସିସି ମୁଖ୍ୟ ତଥା ପାକିସ୍ତାନର କ୍ୟାବିନେଟ ମନ୍ତ୍ରୀ ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଥିଲା। ଏହାପୂର୍ବରୁ ଗତବର୍ଷ ଏସିଆ କପ ଜିତିଥିବା ଭାରତୀୟ ପୁରୁଷ ଦଳ ମଧ୍ୟ ଟ୍ରଫି ପାଇନଥିଲା। ଏବେ ଏହି ଟ୍ରଫିକୁ ନେଇ ବଡ଼ ଅପଡେଟ ଦେଇଛନ୍ତି BCCI ସଚିବ ଦେବଜିତ ସୈକିଆ। PTIକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ଭାରତୀୟ ଦଳକୁ ଖୁବ୍‌ଶୀଘ୍ର ଉଭୟ ପୁରୁଷ ଓ ମହିଳା ଏସିଆ କପ ଟ୍ରଫି ମିଳିବ।

ସୈକିଆ କହିଛନ୍ତି, ଆଶା କରୁଛୁ, ଖୁବ୍‌ଶୀଘ୍ର ଆମକୁ କେବଳ ମହିଳା ଏସିଆ କପ ଟ୍ରଫି ନୁହେଁ, ବରଂ ଗତ ଏକ ବର୍ଷ ଧରି ଆମ ପାଖରେ ନଥିବା ପୁରୁଷ ଏସିଆ କପ ଟ୍ରଫି ମଧ୍ୟ ମିଳିବ। ଆମେ ଉଭୟ ଟ୍ରଫି ଖୁବ୍‌ଶୀଘ୍ର ଆଣିବାକୁ ଯାଉଛୁ। ଦେବଜିତ ସୈକିଆଙ୍କ କହିବା ଅନୁସାରେ, BCCI ପକ୍ଷରୁ ଏସିଆନ କ୍ରିକେଟ କାଉନସିଲର ଡେପୁଟି ଚେୟାରମ୍ୟାନ ଖାଲିଦ ଅଲ ଜରୁନିଙ୍କ ହାତରୁ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।

ସୈକିଆ କହିଛନ୍ତି ଯେ BCCIର ଆଭିମୁଖ୍ୟ ସ୍ପଷ୍ଟ ଥିଲା। ଯେଉଁ ବ୍ୟକ୍ତି ଭାରତର ସ୍ବାର୍ଥ ବିରୋଧରେ କାମ କରୁଛନ୍ତି, ତାଙ୍କଠାରୁ ଟ୍ରଫି ଗ୍ରହଣ କରାଯିବ ନାହିଁ। ତେଣୁ ACCର ଡେପୁଟି ଚେୟାରମ୍ୟାନ ତଥା ଏମିରେଟ୍ସ କ୍ରିକେଟ ବୋର୍ଡର ଅଧିକାରୀ ଖାଲିଦ ଅଲ ଜରୁନିଙ୍କ ହାତରୁ ଟ୍ରଫି ନେବାକୁ BCCI ପ୍ରସ୍ତାବ ଦେଇଥିଲା। ତେବେ ଏହି ପ୍ରସ୍ତାବ ଗ୍ରହଣ ନହେବାରୁ ଟ୍ରଫି ବୟକଟ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା ବୋଲି ସେ କହିଛନ୍ତି।

ଗତବର୍ଷ ପୁରୁଷ ଏସିଆ କପରେ ଭାରତୀୟ ଦଳ ବିଜୟୀ ହେବା ପରେ ମୋହସିନ ନକଭି ଟ୍ରଫି ନିଜ ସହ ନେଇଯାଇଥିବା ଘଟଣାକୁ ନେଇ ତୀବ୍ର ଚର୍ଚ୍ଚା ହୋଇଥିଲା। ଏହାପରେ ସୋସିଆଲ ମିଡିଆରେ ତାଙ୍କୁ ‘ଟ୍ରଫି ଚୋର’ ବୋଲି କୁହାଯାଇଥିଲା।

ମହିଳା ଏସିଆ କପ ୨୦୨୬ରେ ମଧ୍ୟ BCCI ପକ୍ଷରୁ ପୂର୍ବରୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରାଯାଇଥିଲେ ମଧ୍ୟ ନକଭି ନିଜେ ଟ୍ରଫି ପ୍ରଦାନ କରିବାକୁ ଜିଦ୍‌ରେ ରହିଥିବା ଦାବି କରାଯାଇଛି। ଭାରତୀୟ ମହିଳା ଦଳ ତାଙ୍କଠାରୁ ଟ୍ରଫି ନେବାକୁ ନଯିବାରୁ ନକଭିଙ୍କୁ ପ୍ରାୟ ୪୫ ମିନିଟ ଅପେକ୍ଷା କରିବାକୁ ପଡ଼ିଥିଲା। ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ କିଛି ଭାରତୀୟ ପ୍ରଶଂସକ ନକଭିଙ୍କୁ ‘ଟ୍ରଫି ଚୋର’ ବୋଲି କହି ଚିଡ଼ାଉଥିବା ଦେଖିବାକୁ ମିଳୁଛି।

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।