ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

Oct 11, 2026 - 18:35
ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା ଘଟିଛି । ବିମାନର କ୍ୟାବିନ୍‌ରେ ରଖାଯାଇଥିବା ଏକ ପାୱାର ବ୍ୟାଙ୍କ୍‌ରେ ନିଆଁ ଲାଗିଯିବାରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପରିସ୍ଥିତିକୁ ଦେଖି ବିମାନଟିକୁ ଚେନ୍ନାଇ ପରିବର୍ତ୍ତେ ହାଇଦ୍ରାବାଦକୁ ଡାଇଭର୍ଟ କରାଯାଇଥିଲା।

ସୂଚନା ଅନୁଯାୟୀ, ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋର ୬E ୬୧୧୫ ବିମାନରେ ରବିବାର ଏହି ଘଟଣା ଘଟିଥିଲା। ବିମାନରେ ଥିବା ଓଭରହେଡ୍‌ କ୍ୟାବିନ୍‌ରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। କ୍ୟାବିନ୍‌ର କଭର ଖୋଲାଯିବା ପରେ ଭିତରେ ନିଆଁ ଜଳୁଥିବା ଦେଖାଯାଇଥିଲା। ଏହାପରେ କ୍ୟାବିନ୍‌ କ୍ରୁ ସଦସ୍ୟମାନେ ତୁରନ୍ତ ପଦକ୍ଷେପ ନେଇ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିମାନକୁ ହାଇଦ୍ରାବାଦ ଅଭିମୁଖେ ନିଆଯାଇଥିଲା।

ବିମାନଟି ହାଇଦ୍ରାବାଦ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଏହି ଘଟଣାରେ ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ତେବେ ବିମାନ ଭିତରେ ହଠାତ୍‌ ନିଆଁ ଓ ଧୂଆଁ ଦେଖାଯିବାରୁ କିଛି ସମୟ ପାଇଁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଜଣେ ଯାତ୍ରୀ ନିଜ ମୋବାଇଲ୍‌ ଫୋନ୍‌ରେ ଏହାକୁ ରେକର୍ଡ କରିଥିବା କୁହାଯାଉଛି । ଭିଡିଓରେ ଅନ୍ୟ ଯାତ୍ରୀମାନେ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ଦେଖାଯାଉଛି । ପ୍ରାରମ୍ଭିକ ସୂଚନା ଅନୁସାରେ, କ୍ୟାବିନ୍‌ରେ ରଖାଯାଇଥିବା ପାୱାର ବ୍ୟାଙ୍କ୍‌ରେ ନିଆଁ ଲାଗିଥିଲା। ତେବେ ଘଟଣାର ସମ୍ପୂର୍ଣ୍ଣ କାରଣ ଖବର ଲେଖାଯିବା ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।