ଯୋରନ୍ଦା ମହିମା ପୀଠରେ ନବାନ୍ନ ଲାଗି ପାଳିତ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦାସ୍ଥିତ ପବିତ୍ର ମହିମାଗାଦିରେ ମହା ସମାରୋହରେ ପାଳିତ ହୋଇଛି ନବାନ୍ନ ଉତ୍ସବ। ଭାଦ୍ରବ ଶୁକ୍ଳ ଦ୍ୱିତୀୟା ତିଥିରେ ମହିମା ଧର୍ମର ରୀତିନୀତି ଅନୁଯାୟୀ ନବାନ୍ନ ଲାଗି କରାଯାଇଥିଲା। ଏହି ଅବସରରେ ୨୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ଶନିବାର ରାତିରୁ ମହିମାଗାଦିରେ ଆରମ୍ଭ ହୋଇଥିଲା ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ଭିଡ଼। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୦ରୁ ଊର୍ଦ୍ଧ୍ୱ ଭଜନ ମଣ୍ଡଳୀ ଅହୋରାତ୍ର ନାମଭଜନ ପରିବେଷଣ କରିଥିଲେ। ରବିବାର ଭୋର ସାଢ଼େ ୪ଟାରେ ଅହ୍ମୋଣିଆ ମଣ୍ଡପରେ ୮ ଜଣ ତ୍ୟାଗୀ ୨୧ଟି ମାଟିହାଣ୍ଡିରେ ନୂଆଚୂଡ଼ା, ଦହି, ଗୁଡ଼, ମହୁ, କ୍ଷୀର, ଘିଅ ଓ ବିଭିନ୍ନ ଫଳମୂଳ ଶୂନ୍ୟବ୍ରହ୍ମଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ। ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତି ସମ୍ପାଦକ ନିତ୍ୟାନନ୍ଦ ବାବା କହିଥିଲେ “ମହିମା ଧର୍ମରେ ନବାନ୍ନ ଅବସରରେ ପୃଥିବୀ ଶସ୍ୟଶ୍ୟାମଳା ହେବା ସହ ସମସ୍ତଙ୍କୁ ଅନ୍ନବସ୍ତ୍ର ମିଳୁ—ଏହି ପ୍ରାର୍ଥନା ମହିମା ଗୋସାଇଁଙ୍କ ନିକଟରେ କରାଯାଇଥାଏ।” ନବାନ୍ନ ଲାଗି ସମୟରେ ଅଲେଖ ମହିମା ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମହିମାଗାଦି ପରିସର। ପରେ ବରିଷ୍ଠ ମହିମା ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ନବାନ୍ନ ପ୍ରସାଦ ସେବନ କରିଥିଲେ। ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଓ ସାଧୁସନ୍ଥ ଏହି ଉତ୍ସବରେ ସାମିଲ ହୋଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।