ରକ୍ତଦାନ ଏକ ମହତ୍ ଦାନ, ଏହାର ବିକଳ୍ପ ନାହିଁ

Aug 09, 2026 - 18:54
ରକ୍ତଦାନ ଏକ ମହତ୍ ଦାନ, ଏହାର ବିକଳ୍ପ ନାହିଁ

ଭୁବନେଶ୍ୱର : “ମାନବ ସେବା ହିଁ ମାଧବ ସେବା” – ଏହି ମହାନ ଆଦର୍ଶକୁ ଆପଣାଇ ଅମର ଆତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ସେବା ଓ ସେବକ ଅଭିଯାନ କ୍ରମରେ ଭୁବନେଶ୍ୱରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲୋକ ସେବକ ମଣ୍ଡଳ ଓ ଦୈନିକ ‘ସମାଜ’ ପକ୍ଷରୁ ‘ୱି ଫର୍ ଭୁବନେଶ୍ୱର’ର ମିଳିତ ସହଯୋଗରେ ଆୟୋଜିତ ଏହି ପ୍ରଶଂସନୀୟ କାର୍ଯ୍ୟକ୍ରମ ସହରରେ ଏକ ନୂତନ ସେବାର ବାର୍ତ୍ତା ବାଣ୍ଟିଛି।

ବାଚସ୍ପତି ସୁରମା ପାଢ଼ୀ ଶିବିରକୁ ଉଦଘାଟନ କରି ଏଭଳି ଉଦ୍ୟମ ଉତ୍କଳମଣିଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, ବିଧାୟକ ବାବୁ ସିଂ, ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଏମସି କମିଶନର ଚଞ୍ଚଲ ରାଣା, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ସମାଜର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା, ବରିଷ୍ଠ ସମାଜସେବୀ ନିରଞ୍ଜନ ମିଶ୍ର, ଜଗନ୍ନାଥ ପ୍ରଧାନ, ଅମରେଶ ଜେନା, ସମାଜର ସମ୍ପାଦକ ତପନ ମିଶ୍ର, ସମାଜର ମୁଖ୍ୟ ପରିଚାଳକ ଗୋପୀନାଥ ବାରିକ୍, ବାର୍ତ୍ତା ସମ୍ପାଦକ ଅନୁପମ ପ୍ରହରାଜ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

- Advertisement -

ଏହି କାର୍ଯ୍ୟକ୍ରମରେ ସମାଜର ସମ୍ପାଦକ ତପନ ମିଶ୍ର କହିଛନ୍ତି, ଉତ୍କଳମଣି ତ୍ୟାଗି ଓ ପରୋପକାରୀ। ରକ୍ତଦାନ ଏକ ମହତ୍ ଦାନ, ଏହାର ବିକଳ୍ପ ନାହିଁ। ସାରା ଓଡିଶାରେ ପର୍ଯ୍ୟାୟ କ୍ରମେ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଛି। ଆଜି ରାଜଧାନୀରେ ରକ୍ତଦାତାଙ୍କ ଅନେକ ଉତ୍ସାହ ଦେଖିବାକୁ ମିଳିଛି ଓ ୨୨୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।

ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି, ରକ୍ତ ସମ୍ପର୍କ ସବୁଠାରୁ ବଡ ସମ୍ପର୍କ। ରକ୍ତଦାନର ଆବଶ୍ୟକତା ଅନନ୍ୟ। ରକ୍ତଦାନ ଏକ ମହତ ଉଦ୍ଦେଶ୍ୟ। ଆୟୋଜକଙ୍କୁ ଧନ୍ୟବାଦ। ରକ୍ତ ଦେଲେ କୌଣସି ଅସୁବିଧା ହୁଏ ନାହିଁ। ଜଣେ ବାରମ୍ବାର ରକ୍ତ ଦାନ କରି ପାରିବ। ଆହୁରି ଅଧିକ କ୍ୟାମ୍ପ ହଉ। ରକ୍ତଦାତା ହେଉଛନ୍ତି ଭଗବାନ।

ଏହି ମେଗା ରକ୍ତଦାନ ଶିବିରରେ ଯୋଗ ଦେଇ ରକ୍ତଦାତା ମାନେ ଏହାକୁ ଖୁବ୍ ପ୍ରଂଶସା କରିବା ସହ ବନ୍ୟା ସମୟରେ ରକ୍ତର ଅଭାବ ସମୟରେ ଏଭଳି ରକ୍ତଦାନ କାର୍ଯ୍ୟକ୍ରମକୁ ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି।

ବିଏମସି ୪୫ ନମ୍ବର ୱାର୍ଡ କାର୍ଯ୍ୟାଳୟ, କଳ୍ପନା ପରିସରରେ ଆୟୋଜିତ ଶିବିରରେ ରୋଟାରୀ କ୍ଲବ ନୀଳାଦ୍ରି, ମିଶନ ରକ୍ତଦାନ ଏବଂ ଓଡିଶା ଅଭିଭାବକ ମହାସଂଘ ଭଳି ବିଭିନ୍ନ ଅନୁଷ୍ଠାନ ସାମିଲ ହୋଇଥିଲେ। ଉଦଘାଟନୀ ଉତ୍ସବରେ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।