ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର

Aug 16, 2026 - 17:57
ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ ୩ ଦିନ ପାଇଁ ରୋଡୱେଜ୍ ବସ୍‌ରେ ମାଗଣା ଯାତ୍ରା ସୁବିଧା ଦେବାକୁ ନିଷ୍ପତ୍ତି ନେଇଛି । ଏହି ସୁବିଧା ଅଗଷ୍ଟ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ମିଳିବ।

ଚଳିତ ବର୍ଷ ଅଗଷ୍ଟ ୨୮ରେ ରକ୍ଷାବନ୍ଧନ ପାଳନ ହେବ । ଏହି ଅବସରରେ ବହୁ ସଂଖ୍ୟାରେ ମହିଳା ନିଜ ଭାଇଙ୍କ ଘରକୁ ରାକ୍ଷୀ ବାନ୍ଧିବାକୁ ଯିବେ । ଏହାକୁ ଦୃଷ୍ଟିରେ ରଖି ୨୭ ତାରିଖରେ ଭାଇଙ୍କ ଘରକୁ ଯିବା ଏବଂ ୨୯ ତାରିଖରେ ନିଜ ଗନ୍ତବ୍ୟସ୍ଥଳକୁ ଫେରିବା ସମୟରେ ମଧ୍ୟ ମହିଳାମାନେ ମାଗଣାରେ ବସ୍‌ରେ ଯାତ୍ରା କରିପାରିବେ। ଏଥିପାଇଁ ମହିଳାଙ୍କ ଠାରୁ ଟିକେଟ ଆଦାୟ କରାଯିବ ନାହିଁ । ରକ୍ଷାବନ୍ଧନ ସମୟରେ ବସ୍‌ଷ୍ଟାଣ୍ଡରେ ଭିଡ଼ ବଢ଼ିବା ଆଶଙ୍କା ଥିବାରୁ ପରିବହନ ନିଗମ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରିଛି । ଡ୍ରାଇଭର ଓ କଣ୍ଡକ୍ଟରମାନଙ୍କୁ ପ୍ରାୟ ୬ ଦିନ ପର୍ଯ୍ୟନ୍ତ ଛୁଟି ଦିଆଯିବ ନାହିଁ । ଅଧିକ ସଂଖ୍ୟାରେ ବସ୍‌ ଚଳାଚଳ କରାଇ ଯାତ୍ରୀଙ୍କୁ ସୁବିଧା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି।

ମହିଳା ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି କୌଶାମ୍ବୀ ଡିପୋ ସହ ଜଡ଼ିତ ବିଭିନ୍ନ ରୁଟ୍‌ରେ ପ୍ରାୟ ୨୫୦ଟି ଅତିରିକ୍ତ ବସ୍‌ ସମାନ ଟ୍ରିପ୍‌ ବଢ଼ାଯିବ। ଅଗଷ୍ଟ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଅତିରିକ୍ତ ସେବା ଚାଲିବ।ଲକ୍ଷ୍ନୌ ପାଇଁ ୩୦, ବରେଲି ପାଇଁ ୪୦, ହଲଦ୍ୱାନୀ ପାଇଁ ୧୦, ବଦାୟୁଁ ପାଇଁ ୭୦, ମୈନପୁରୀ ପାଇଁ ୪୪, କାନପୁର ପାଇଁ ୧୬ ଏବଂ ଏଟା-ଆଲିଗଡ଼ ରୁଟ୍‌ରେ ୪୦ଟି ଅତିରିକ୍ତ ଟ୍ରିପ୍‌ ଚଳାଚଳ କରିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।