ରଖେ ହରି, ମାରେ କିଏ? ନେପାଳ ବନ୍ୟା: ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଗଲେ ଭାରତୀୟ ମହିଳା!
ସମାଜ ଡେସ୍କ: କଥାରେ ଅଛି, ରଖେ ହରି ତ ମାରେ କିଏ? ଯଦି ଜୀବନ ବାକି ଅଛି, ତାହେଲେ ଯମ ବି ବାଟ ଭାଙ୍ଗି ପଳାଇବେ । ଏମିତି ଏକ ଘଟଣା ଘଟିଛି କୋଲକାତାର ଜଣେ ମହିଳା ତପତୀ ସିଂଘାଙ୍କ ସହିତ । ନିଶ୍ଚିତ ମୃତ୍ୟୁରୁ ଭଗବାନ ତାଙ୍କୁ ବଂଚାଇ ଦେଇଛନ୍ତି । ସୁଦୂର ନେପାଳରେ ମୃତ୍ୟୁ ତାଙ୍କୁ ଜଗି ବସିଥିଲା । କିନ୍ତୁ ତପତୀଙ୍କର ଯେହେତୁ ଆହୁରି ଆୟୁଷ ବାକି ଥିଲା, ମୃତ୍ୟୁ ତାଙ୍କଠାରୁ ପରାଜିତ ହୋଇଯାଇଥିଲା ।
ଆସନ୍ତୁ ଜାଣିବା କ’ଣ ଘଟିଥିଲା ତପତୀଙ୍କ ସହିତ ।
କୋଲକାତାର ୩୩ ଜଣ ବାସିନ୍ଦାଙ୍କୁ ନେଇ ଏକ ଦଳ କୈଳାସ ମାନସରୋବର ବାହାରିଥିଲା । ସେଠାକାର ଜଣେ ଟ୍ରାଭେଲ ଏଜେଂଟଙ୍କ ଜରିଆରେ ୩୩ ଜଣଙ୍କ ପାଇଁ ସବୁ ବ୍ୟବସ୍ଥା ହୋଇଯାଇଥିଲା । ୧୩ ଦିନର ଥିଲା ଏହି ଯାତ୍ରା । ତପତୀ ମଧ୍ୟ ସମ୍ପୂର୍ଣ୍ଣ ପଇସା ପୈଠ କରିଦେଇଥିଲେ । ଯାତ୍ରା ଟିକେଟ ଠୁ ଆରମ୍ଭ କରି ହୋଟେଲରେ ରହିବା ଖାଇବା, ସବୁର ବ୍ୟବସ୍ଥା ହୋଇସାରିଥିଲା । ଯାତ୍ରା ପାଇଁ ଦିନ ମଧ୍ୟ ନିର୍ଦ୍ଧାରିତ ହୋଇଥିଲା । ପବିତ୍ର ତୀର୍ଥଯାତ୍ରା ପାଇଁ ସବୁ ଯାତ୍ରୀ ବେଶ୍ ଉତ୍କଂଠିତ ହୋଇ ପ୍ରସ୍ତୁତି ଚଳାଇଥିବା ବେଳେ ତପତୀଙ୍କୁ ମିଳିଲା ଏକ ଦୁଃଖ ଖବର । ଚାଇନା ଇମିଗ୍ରେସନ କର୍ତୃପକ୍ଷ କୌଣସି କାରଣ ନ ଦର୍ଶାଇ ତାଙ୍କ ଭିସା ରଦ୍ଦ କରିଦେଇଥିଲେ । ଟ୍ରାଭେଲ ଏଜେଂଟଙ୍କଠାରୁ ଏହା ଶୁଣିଲା ପରେ ଦୁଃଖୀ ହୋଇପଡ଼ିଲେ ତପତୀ । କୈଳାସ ମାନସରୋବର ବୁଲିବା ଆଶା ତାଙ୍କର ଆଶାରେ ରହିଗଲା । ତେବେ ଯେହେତୁ ସେ ବୁଲିବାକୁ ମନ ବଳାଇଥିଲେ, ତେଣୁ ନିଜ ନିଷ୍ପତିରେ ଅଟଳ ରହିଲେ । ତାଙ୍କ ଗ୍ରୁପର ୩୨ ଜଣ ସଦସ୍ୟ କୈଳାସ ମାନସରୋବର ବୁଲି ଗଲାବେଳେ, ସେ ଲଦାଖ ବୁଲିବାକୁ ଚାଲିଗଲେ । ଲଦାଖ ପାହାଡ଼ ହ୍ରଦ ପାଖେ ବୁଲି ବୁଲି ନିଜ ମନ ବୁଝାଉଥିବା ବେଳେ ନେପାଳରେ ଘଟିଥିବା ଭୟଙ୍କର ବନ୍ୟା ଖବର ପାଇଲେ । ସବୁଠୁ ଦୁଃଖଦ କଥା ହେଲା, ଗତ ବୁଧବାର ନେପାଳର ଭୟଙ୍କର ବନ୍ୟାରେ ଯେଉଁମାନେ ନିଖୋଜ ହୋଇଯାଇଛନ୍ତି, ତା ମଧ୍ୟରେ ଅଛନ୍ତି ତପତୀଙ୍କ ଗ୍ରୁପ୍ର ୩୨ ସଦସ୍ୟ ସଦସ୍ୟା! ଯଦି ତପତୀଙ୍କ ଭିସା ଶେଷ ମୁହୂର୍ତରେ ବାତିଲ ହୋଇ ନ ଥାନ୍ତା, ତାହେଲେ ନିଖୋଜ ସଂଖ୍ୟା ୩୨ ନ ହୋଇ ୩୩ ହୋଇଥାନ୍ତା! କିନ୍ତୁ ବିଧିର ବିଧାନ ତପତୀଙ୍କ ପାଇଁ ଯେହେତୁ ଅଲଗା ଥିଲା, ତେଣୁ ତାଙ୍କ ଜୀବନ ରହିଯାଇଛି । ତେବେ ନିଜ ସାଥୀ ସଂପର୍କୀୟମାନଙ୍କ ଏପରି ନିଖୋଜ ଖବର ତାଙ୍କୁ ଅତ୍ୟନ୍ତ ବ୍ୟଥୀତ କରିଦେବାରୁ ସେ ଲଦାଖ ବୁଲା ଅଧାରୁ ଛାଡି କୋଲକାତା ଫେରି ଆସିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।