ରାଇଜିଂ ଷ୍ଟାର୍ସ ଏସିଆ କପ୍ ଦିନିକିଆ ; ଭାରତ ‘ଏ’ ଦଳରେ ଅଭିଷେକ, ବୈଭବ
ନୂଆଦିଲ୍ଲୀ: ରାଇଜିଂ ଷ୍ଟାର୍ସ ଏସିଆ କପ୍ କ୍ରିକେଟ୍ ପାଇଁ ସୋମବାର ୧୫ ଜଣିଆ ଭାରତ ‘ଏ ଦଳ ଘୋଷଣା କରିଛି ବିସିସିଆଇ। ଏହି ଟୁର୍ଣ୍ଣାମେଣ୍ଟ ୫୦ ଓଭର ବିଶିଷ୍ଟ ହେବ। ଦଳରେ ବିସ୍ଫୋରକ ଓପନର ଅଭିଷେକ ଶର୍ମା ଓ ଯୁବ ବ୍ୟାଟିଂ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ମିଳିଛି। ତିଳକ ବର୍ମା ଦଳର ନେତୃତ୍ବ ନେବେ। ଅଭିଜ୍ଞ ବ୍ୟାଟର ରଜତ ପଟିଦାର ଉପଅଧିନାୟକ ଅଛନ୍ତି। ନଭେମ୍ବର ୧୯ରୁ ୨୯ ପର୍ଯ୍ୟନ୍ତ କାତାରର ଦୋହାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ଶୃଙ୍ଖଳା ଖେଳିଥିବା ଭାରତୀୟ ଖେଳାଳିଙ୍କୁ ମଧ୍ୟ ସାମିଲ କରାଯାଇଛି। ୧୫ ବର୍ଷୀୟ ବୈଭବ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଅଛନ୍ତି। ଭାରତ ‘ଏ’ର ବ୍ୟାଟିଂ ବେଶ୍ ଶକ୍ତିଶାଳୀ ରହିଛି। ଅଭିଷେକ ଓ ବୈଭବ ଓପନ୍ କରିବେ। ମଧ୍ୟକ୍ରମରେ ଅଧିନାୟକ ତିଳକ ବର୍ମା ଓ ରଜତ ପାଟିଦାର ଅଭିଜ୍ଞତା ଯୋଗାଇବେ। ଫିନିସର୍ ଭାବେ ରିଙ୍କୁ ସିଂହ ଅଛନ୍ତି। ୱିକେଟ୍ ରକ୍ଷକ ଭାବେ ପ୍ରଭସିମ୍ରନ୍ ସିଂହ ଓ କୁମାର କୁଶାଗ୍ର ରହିଛନ୍ତି। ଅଲରାଉଣ୍ଡର ଭାବେ ସୂର୍ଯ୍ୟାଂଶ ସେଡ୍ଗେ, ଶାହବାଜ ଅହମ୍ମଦ, ବିପ୍ରଜ ନିଗମ, ହର୍ଷ ଦୁବେ ଓ ତନୁଷ କୋଟିଆନ୍ ସ୍ଥାନ ପାଇଛନ୍ତି। ଦ୍ରୁତ ବୋଲିଂ ବିଭାଗରେ ହର୍ଷିତ ରାଣା, ପ୍ରିନ୍ସ ଯାଦବ ଓ ଅର୍ଶଦ ଖାନ୍ ରହିଛନ୍ତି। ଗ୍ରୁପ୍ ‘ବି’ରେ ଭାରତ ‘ଏ’ ଓ ପାକିସ୍ତାନ ‘ଏ’ ସହ ନେପାଳ ଓ ୟୁଏଇ ଦଳ ରହିଛନ୍ତି। ଗ୍ରୁପ୍-ଏ’ରେ ବାଂଲାଦେଶ ‘ଏ’, ଶ୍ରୀଲଙ୍କା ‘ଏ’, ଆଫଗାନିସ୍ତାନ ‘ଏ’ ଓ ହଂକଂ ସ୍ଥାନ ପାଇଛନ୍ତି। ଭାରତ ‘ଏ’ ନଭେମ୍ବର ୨୦ରେ ନେପାଳ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ୨୨ରେ ପାକିସ୍ତାନ ’ଏ’କୁ ଭାରତ ‘ଏ’ ଭେଟିବ। ୨୬ ଓ ୨୭ରେ ସେମିଫାଇନାଲ ଓ ୨୯ରେ ଫାଇନାଲ ମ୍ୟାଚ୍ ଖେଳାଯିବ।
ଭାରତ ‘ଏ’ ଦଳ: ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ପ୍ରଭସିମ୍ରନ ସିଂହ (ୱିକେଟ୍ ରକ୍ଷକ), ତିଳକ ବର୍ମା (ଅଧିନାୟକ), ରଜତ ପଟିଦାର (ଉପଅଧିନାୟକ), ରିଙ୍କୁ ସିଂହ, କୁମାର କୁଶାଗ୍ର (ୱିକେଟ୍ ରକ୍ଷକ), ସୂର୍ଯ୍ୟାଂଶ ସେଡ୍ଗେ, ଶାହ୍ବାଜ ଅହମ୍ମଦ, ବିପ୍ରଜ ନିଗମ, ହର୍ଷ ଦୁବେ, ତନୁଷ କୋଟିଆନ, ହର୍ଷିତ ରାଣା, ପ୍ରିନ୍ସ ଯାଦବ ଓ ଅର୍ଶଦ ଖାଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।