ରାଉରକେଲାରେ ଆକ୍ସନ ମୋଡ୍ରେ ବନ ବିଭାଗ, ଜବତ ହେଲା ୩୦ ଟନ୍ ଚୋରା କାଠ ଓ ୧.୨ ଟନ୍ କେନ୍ଦୁପତ୍ର
ନନ୍ଦିଘୋଷ ବ୍ୟୁରୋ : ରାଉରକେଲା ବନଖଣ୍ଡରେ କାଠ ଓ କେନ୍ଦୁପତ୍ର ଚୋରା କାରବାର କରୁଥିଲେ ସାବଧାନ। ଚୋରା କାରବାର ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଚଢ଼ାଉକୁ ଜୋରଦାର କରାଯାଇଛି। ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ବେଆଇନ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଉଛି। ରାଉରକେଲା ରେଲୱେ ଷ୍ଟେସନ ଦେଇ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ଅଭିଯୋଗ ପରେ ବନ ବିଭାଗ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମଲେଶ୍ୱରୀ ଏକ୍ସପ୍ରେସ୍ ଟ୍ରେନ୍ ଯୋଗେ ଚୋରା ଚାଲାଣ ହେଉଥିବା ପ୍ରାୟ ୧.୨ ଟନ୍ କେନ୍ଦୁପତ୍ର ବନ ବିଭାଗ ଜବତ କରିବା ପରେ ରେଲୱେ ଷ୍ଟେସନରେ ଯାଞ୍ଚକୁ ଆହୁରି ଜୋରଦାର କରାଯାଇଛି। ସେହିପରି ଦୁଇଟି ଟ୍ରକ୍ ଯୋଗେ ଚୋରା ଚାଲାଣ ହେଉଥିବା ପ୍ରାୟ ୩୦ ଟନ୍ କାଠ ମଧ୍ୟ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି। ରାଉରକେଲା ବନଖଣ୍ଡରେ କାଠ ଚୋରା କାରବାର ରୋକିବା ପାଇଁ ଗତ ୧୦ ଦିନ ହେଲା ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ରାଉରକେଲା ଡିଏଫ୍ଓ ସୂଚନା ଦେଇଛନ୍ତି।
ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥିବା ସରଣ୍ଡା ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି କାଠ ମାଫିଆମାନେ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି। ଏହାସହ ଟ୍ରେନ୍ ଯୋଗେ କେନ୍ଦୁପତ୍ର ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି। କେନ୍ଦୁପତ୍ର ଓ କାଠ ଚୋରା କାରବାର ଜରିଆରେ ମାଫିଆମାନେ ବିପୁଳ ଟଙ୍କା ମୁନାଫା କମାଉଥିବା ଅଭିଯୋଗ ହେଉଥିବା ବେଳେ ସମ୍ପୃକ୍ତ ଚୋରା କାରବାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।