ରାଜନୀତିରେ ବଡ଼ ହଲଚଲ: ଭୋଟର ଲିଷ୍ଟରୁ କାହିଁକି କଟିଲା ରାଘବ ଚଢାଙ୍କ ନାଁ, ଏହା ପଛର କାରଣ ଖୋଲି କହିଲେ…
ନୂଆଦିଲ୍ଲୀ,୩।୯: SIR ପରେ ପଞ୍ଜାବର ଡ୍ରାଫ୍ଟ ଭୋଟର ଲିଷ୍ଟରୁ ନାଁ କଟିବାକୁ ନେଇ ରାଜ୍ୟ ସଭା ସାଂସଦ ରାଘବ ଚଢା ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଭୋଟର ଲିଷ୍ଟରୁ ତାଙ୍କ ନାଁ ହଟିବା ନେଇ ସେ ଅସନ୍ତୋଷ ପ୍ରକାଶ କରି ପଞ୍ଜାବର ଆମ ଆଦମୀ ପାର୍ଟି (AAP) ସରକାର ଉପରେ ରାଜନୈତିକ ପ୍ରତିଶୋଧର ଅଭିଯୋଗ ଲଗାଇଛନ୍ତି।
ନିକଟରେ ପ୍ରକାଶ ପାଇଥିବା ପଞ୍ଜାବର ଡ୍ରାଫ୍ଟ ଭୋଟର ଲିଷ୍ଟରେ ରାଘବଙ୍କ ନାଁ ସାମ୍ନାରେ ‘Permanently Shifted’ ଲେଖାଯାଇଥିବା ସେ କହିଛନ୍ତି। ତେବେ ଡ୍ରାଫ୍ଟ ଲିଷ୍ଟ ବିରୋଧରେ ୧୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଆପତ୍ତି ଦାଖଲ କରିବା ଏବଂ ପୁଣିଥରେ ନାଁ ଯୋଡ଼ିବା ପାଇଁ ଆବେଦନ କରିବାର ସୁଯୋଗ ରହିଛି।
କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପକ୍ଷରୁ ୧୩ ଅଗଷ୍ଟ ୨୦୨୬ରେ ପଞ୍ଜାବର ଡ୍ରାଫ୍ଟ ଭୋଟର ଲିଷ୍ଟ ପ୍ରକାଶ କରାଯାଇଥିଲା। SIR ଅଧୀନରେ ପଞ୍ଜାବର ଭୋଟର ଲିଷ୍ଟରୁ ପ୍ରାୟ ୨୦.୬୬ ଲକ୍ଷ ଭୋଟରଙ୍କ ନାଁ ହଟାଯାଇଥିବା ଦାବି କରାଯାଇଛି। ଏହି ତାଲିକାରେ ରାଘବଙ୍କ ନାଁ ମଧ୍ୟ ରହିଥିବା କୁହାଯାଇଛି। ତାଙ୍କ ନାଁ ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ ଓ ଡୁପ୍ଲିକେଟ (ASDD) ଭୋଟରଙ୍କ ତାଲିକାରେ ସାମିଲ ହୋଇଥିବା ରିପୋର୍ଟ ହୋଇଛି। ରାଘବ ଚଢା ଦୀର୍ଘ ସମୟ ଧରି ପଞ୍ଜାବରେ ରହୁନଥିବା ବେଳେ ତାଙ୍କ ସ୍ଥାୟୀ ଠିକଣା ଦିଲ୍ଲୀରେ ଥିବା ଦାବି କରାଯାଇଛି। ଠିକଣା ପରିବର୍ତ୍ତନ ହେଲେ ନୂଆ ଠିକଣାରେ ଭୋଟର ଭାବେ ପଞ୍ଜିକରଣ କରାଇବା ଭୋଟରଙ୍କ ଦାୟିତ୍ୱ ବୋଲି ନିୟମ ରହିଛି।
ଅନ୍ୟପକ୍ଷରେ, ମୋହାଲିର ଭୋଟର ତାଲିକାରେ ରାଘବଙ୍କ ନାଁ ୱାର୍ଡ ନମ୍ବର ୪୪ର ସିରିଏଲ ନମ୍ବର ୨୫୩ରେ ରେଜେନ୍ସି ହାଇଟ୍ସ, ମୋହାଲି ଠିକଣାରେ ପଞ୍ଜିକୃତ ଥିବା କୁହାଯାଇଛି। ୧ ଜୁନ ୨୦୨୪ରେ ସେ ମୋହାଲିର ଲଖନୌର ଭୋଟିଂ ସେଣ୍ଟରରେ ଆନନ୍ଦପୁର ସାହିବ ଲୋକ ସଭା ଆସନ ପାଇଁ ଭୋଟ ଦେଇଥିବା ମଧ୍ୟ କୁହାଯାଇଛି।
ରାଘବଙ୍କ ଅଭିଯୋଗ ହେଉଛି, ସେ ପଞ୍ଜାବର ବର୍ତ୍ତମାନର ରାଜ୍ୟ ସଭା ସାଂସଦ ଏବଂ ତାଙ୍କ ଭୋଟର ଆଇଡି ମୋହାଲିରେ ପଞ୍ଜିକୃତ ଥିବା ସତ୍ତ୍ୱେ ଡ୍ରାଫ୍ଟ ତାଲିକାରେ ତାଙ୍କୁ ‘ଶିଫ୍ଟେଡ’ ଭାବେ ଦର୍ଶାଯାଇଛି। ସେ ଏହାକୁ କେବଳ କ୍ଲର୍କଙ୍କ ଭୁଲ ବୋଲି ମାନିବାକୁ ରାଜି ନୁହନ୍ତି। ତାଙ୍କ ଦାବି ଅନୁସାରେ, ଏହା ରାଜନୈତିକ ପ୍ରତିଶୋଧର ଏକ ଅଂଶ। ରାଘବ ପ୍ରଶ୍ନ ଉଠାଇ କହିଛନ୍ତି ଯେ ତାଙ୍କୁ ‘ସ୍ଥାନାନ୍ତରିତ’ ଭାବେ କିଏ ଚିହ୍ନଟ କଲା, ସେହି ବର୍ଗର ଯାଞ୍ଚ କିଏ କଲା ଏବଂ ଉଚ୍ଚସ୍ତରରେ ଏହାକୁ କିଏ ପ୍ରକ୍ରିୟାକରଣ କଲା ଏସବୁ ପ୍ରକ୍ରିୟାରେ ସରକାରୀ ଅଧିକାରୀମାନେ ଜଡ଼ିତ ଥିବା ସେ ଅଭିଯୋଗ କରିଛନ୍ତି।
ତାଙ୍କ କହିବା ଅନୁସାରେ, ଭୂମିସ୍ତରରେ ନିୟୋଜିତ BLO ଠାରୁ ଆରମ୍ଭ କରି CEO ପର୍ଯ୍ୟନ୍ତ ବିଭିନ୍ନ ସ୍ତରର ଅଧିକାରୀ ଏହି ପ୍ରକ୍ରିୟାରେ ଜଡ଼ିତ ରହନ୍ତି।
ରାଘବ ଚଢା ପଞ୍ଜାବର AAP ସରକାର ଉପରେ ପ୍ରଶାସନିକ ବ୍ୟବସ୍ଥା ଓ ପୋଲିସର ଦୁରୁପଯୋଗ କରିବାର ଅଭିଯୋଗ ଲଗାଇଛନ୍ତି। ନିର୍ବାଚନୀ ଡ୍ୟୁଟି ପରେ ଅଧିକାରୀମାନଙ୍କ ଟ୍ରାନ୍ସଫର, ପୋଷ୍ଟିଂ ଓ କ୍ୟାରିୟର ସମ୍ପର୍କିତ ନିଷ୍ପତ୍ତିରେ ରାଜ୍ୟ ସରକାରର ପ୍ରଭାବ ଥିବାରୁ ଏହି ପ୍ରଶାସନିକ ବ୍ୟବସ୍ଥାକୁ ରାଜନୈତିକ ପ୍ରତିଶୋଧ ପାଇଁ ବ୍ୟବହାର କରାଯାଉଥିବା ସେ ଦାବି କରିଛନ୍ତି।
ତେବେ ଭୋଟର ତାଲିକା ପ୍ରସ୍ତୁତ ଓ ସଂଶୋଧନର ଅଧିକାର ନିର୍ବାଚନ ଆୟୋଗଙ୍କ ଅଧୀନରେ ଥିବାରୁ ଏହି ଘଟଣା ପାଇଁ ସିଧାସଳଖ ପଞ୍ଜାବ ସରକାରଙ୍କୁ ଦାୟୀ କରିବା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ତେବେ ମାମଲାର ଯାଞ୍ଚ ଦାବି କରିଛନ୍ତି ରାଘବ ଚଢା।
ରାଘବ ଚଢା ଆହୁରି ଅଭିଯୋଗ କରିଛନ୍ତି ଯେ ସେ ଏବଂ ଅନ୍ୟ କିଛି ନେତା ଆମ ଆଦମୀ ପାର୍ଟି ଛାଡ଼ି BJPରେ ଯୋଗଦେବା ପରଠାରୁ AAP ନେତୃତ୍ୱ ଅସନ୍ତୁଷ୍ଟ ରହିଛି। ତାଙ୍କ ଦାବି ଅନୁସାରେ, ଯେଉଁ ନେତାମାନେ ଚୁପ ରହିବାକୁ ପ୍ରସ୍ତୁତ ନୁହନ୍ତି, ସେମାନଙ୍କ ବିରୋଧରେ ପଞ୍ଜାବ ପୋଲିସ ଓ ପ୍ରଶାସନିକ ବ୍ୟବସ୍ଥାକୁ ଢାଲ ଭାବେ ବ୍ୟବହାର କରାଯାଉଛି। ଅନ୍ୟ ପୂର୍ବତନ AAP ସାଂସଦ ଓ ନେତାମାନଙ୍କୁ ମଧ୍ୟ ଏହିପରି ଟାର୍ଗେଟ କରାଯାଉଥିବା ରାଘବ ଚଢା ଅଭିଯୋଗ କରିଛନ୍ତି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।