ରାଜନୀତିରେ ହଇଚଇ; NDAକୁ ବଡ଼ ଝଟ୍କା! CJP ସମର୍ଥନରେ ଜଗନ ରେଡ୍ଡୀ
ନୂଆଦିଲ୍ଲୀ,୧୯।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କକ୍ରୋଚ୍ ଜନତା ପାର୍ଟି (CJP)ର ନେତା ଓ ସମର୍ଥକମାନେ ଜୋରଦାର ପ୍ରତିବାଦ କରୁଛନ୍ତି । CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିବା ବେଳେ ସେମାନେ ବର୍ତ୍ତମାନ ନ୍ୟାୟିକ ହାଜତରେ ଅଛନ୍ତି । ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ ଜାରି ରଖିଛନ୍ତି । ଏହି ପ୍ରସଙ୍ଗରେ ଏନ୍ଡିଏକୁ ସଂସଦରେ ସମର୍ଥନ କରୁଥିବା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନ ମୋହନ ରେଡ୍ଡୀଙ୍କ ଆଭିମୁଖ୍ୟ ମଧ୍ୟ ଚର୍ଚ୍ଚାକୁ ଆସିଛି।
ନିର୍ବାଚନ କମିଶନଙ୍କ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତିକୁ ନେଇ ଜଗନ ମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିବା ସହ ଏହି ପ୍ରସଙ୍ଗରେ CJPକୁ ସମର୍ଥନ ଜଣାଇଥିବା ରିପୋର୍ଟରେ କୁହାଯାଇଛି । ତାଙ୍କର ଏହି ଆଭିମୁଖ୍ୟ ପଛରେ ବାମପନ୍ଥୀ ଦଳଗୁଡ଼ିକ ସହ ସମନ୍ୱୟ ରହିଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଏ ସମ୍ପର୍କରେ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ମିଳିନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଗନ ମୋହନ ରେଡ୍ଡୀ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ମତରେ, ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ଗଠିତ ତିନିଜଣିଆ କମିଟି ସମ୍ପର୍କିତ ପ୍ରକ୍ରିୟାକୁ ସମର୍ଥନ କରିବା ଉଚିତ ନଥିଲା।
ଏହି କମିଟିରେ ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ ମନ୍ତ୍ରୀ ଏବଂ ବିରୋଧୀ ଦଳର ନେତା ରହିଥାନ୍ତି । ଏହି ଆଇନରେ ପରିବର୍ତ୍ତନ କରି କମିଟିରେ ଭାରତର ପ୍ରଧାନ ବିଚାରପତିଙ୍କୁ ସାମିଲ କରିବାକୁ ମଧ୍ୟ ସେ ଦାବି କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।YSRCPର ଜଣେ ନେତା କହିଛନ୍ତି ଯେ, ଦଳ ପ୍ରସଙ୍ଗ ଆଧାରରେ ଏନ୍ଡିଏକୁ ସମର୍ଥନ କରେ। କିନ୍ତୁ ଏହି ପ୍ରସଙ୍ଗରେ ଜନସାଧାରଣଙ୍କୁ ସରକାରଙ୍କ ପକ୍ଷରୁ ଅଧିକ ଆଶ୍ୱାସନା ମିଳିବା ଆବଶ୍ୟକ ବୋଲି ଦଳ ମନେ କରୁଛି।
ଆନ୍ଧ୍ରପ୍ରଦେଶରେ ବିରୋଧୀ ଦଳ ଭାବେ YSRCP ସେହି ଲୋକଙ୍କ ସହ ଠିଆ ହେବା ଉଚିତ ବୋଲି ମନେ କରୁଛି, ଯେଉଁମାନଙ୍କ ଭୋଟ୍ ବେଆଇନ ଭାବେ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ଦଳର ଜଣେ ନେତାଙ୍କ ମତରେ, ଏଭଳି ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ଲଢ଼ୁଥିବା ଗୋଷ୍ଠୀକୁ ସମର୍ଥନ କରିବା ଆବଶ୍ୟକ।ଏଥିସହ ଆନ୍ଧ୍ରପ୍ରଦେଶର ଟିଡିପି ସରକାର ରାଜ୍ୟ ନିର୍ବାଚନ କମିଶନଙ୍କ ସହଯୋଗରେ ନିର୍ବାଚନ ପ୍ରକ୍ରିୟାର ଫାଇଦା ଉଠାଉଥିବା ଅଭିଯୋଗ ମଧ୍ୟ YSRCP ପକ୍ଷରୁ ଉଠାଯାଇଛି।
ଏହି ପ୍ରସଙ୍ଗକୁ ନେଇ ଜଗନ ମୋହନ ରେଡ୍ଡୀଙ୍କ ଆଭିମୁଖ୍ୟ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ଏହା ଏନ୍ଡିଏ ସହ ତାଙ୍କ ଦଳର ସମ୍ପର୍କ ଉପରେ କି ପ୍ରଭାବ ପକାଇବ, ତାହା ଆଗକୁ ସ୍ପଷ୍ଟ ହେବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।