ରାଫେଲ ଭାର ସମ୍ଭାଳିଲା ବିକ୍ରାନ୍ତ ଡେକ୍ ; ନୌସେନାକୁ ମିଳିବ ୮ ଯୁଦ୍ଧ ଜାହାଜ
ନୂଆଦିଲ୍ଲୀ : ରାଫେଲ ମେରାଇନ ଯୁଦ୍ଧବିମାନ ସଫଳତାର ସହିତ ଆଇଏନଏସ୍ ବିକ୍ରାନ୍ତରେ ଅବତରଣ କରିଛି। ଗୁରୁବାର ପ୍ରଥମ ପରୀକ୍ଷାମୂଳକ ଅବତରଣ ବେଳେ ରାଫେଲ ମେରାଇନ ସଫଳ ହୋଇଥିବା କୁହାଯାଇଛି। ଆଇଏନଏସ୍ ବିକ୍ରାନ୍ତ ହେଉଛି ଭାରତର ଯୁଦ୍ଧବିମାନ ବହନକାରୀ ଯୁଦ୍ଧଜାହାଜ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧଜାହାଜରେ ରାେଫଲ ମେରାଇନ ଯୁଦ୍ଧବିମାନକୁ ସାମିଲ କରିବା ଲାଗି ପରୀକ୍ଷା ନିରୀକ୍ଷା ଚାଲିଛି। ଏହି ପରୀକ୍ଷଣଗୁଡ଼ିକ ବିମାନବାହୀ ପୋତ ସହିତ ବିମାନର ଅନୁକୂଳତା ପ୍ରମାଣିତ ପାଇଁ କରାଯାଉଛି। ପରୀକ୍ଷା ସଫଳ ହେଲେ ଏହାକୁ ଆଇଏନଏସ୍ ବିକ୍ରାନ୍ତରେ ଆଗାମୀ ଦିନରେ ମୁତୟନ କରାଯିବ। ଭାରତ ନୌସେନାରେ ରାଫେଲ ଯୁଦ୍ଧବିମାନକୁ ସାମିଲ କରିବା ଲାଗି ନୂଆଦିଲ୍ଲୀ ଫ୍ରାନ୍ସ ସହିତ ବୁଝାମଣା ସ୍ବାକ୍ଷର କରିଛି। ୨୦୨୫ ଏପ୍ରିଲ ୨୮ରେ ହୋଇଥିବା ବୁଝାମଣା ଅନୁଯାୟୀ ୬୩,୦୦୦ କୋଟି ଟଙ୍କା ମୂଲ୍ୟରେ ଫ୍ରାନ୍ସ ୨୬ଟି ରାଫେଲ ମେରାଇନ ଯୁଦ୍ଧବିମାନ ଯୋଗାଇ ଦେବ। ଏଥିରୁ ୨୨ଟି ଏକ ଆସନ ବିଶିଷ୍ଟ ଓ ୪ଟି ଦୁଇ ଆସନ ବିଶିଷ୍ଟ। ଯୁଦ୍ଧବିମାନ ସହିତ ଅସ୍ତ୍ରଶସ୍ତ୍ର, ବିମାନ ପ୍ରଶିକ୍ଷଣ ଉପକରଣ, ପ୍ରଶିକ୍ଷଣ ସୁବିଧା, ଯନ୍ତ୍ରାଂଶ ଓ ଯୋଗାଣ ସୁବିଧା ଫ୍ରାନ୍ସ ଯୋଗାଇଦେବ। ୨୦୩୦ ସୁଦ୍ଧା ଭାରତକୁ ରାଫେଲ ମେରାଇନ ଯୁଦ୍ଧବିମାନର ଯୋଗାଣ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ। ରାଫେଲ ମେରାଇନ ଯୁଦ୍ଧବିମାନ କେବଳ ଯୁଦ୍ଧବିମାନବାହୀ ଯୁଦ୍ଧଜାହାଜରେ ମୁତୟନ ଲାଗି ଉଦ୍ଦିଷ୍ଟ। ଏହା ଉଭୟ ଜଳ ଓ ସ୍ଥଳ ଭାଗକୁ ନିଶାଣ କରିପାରିବ। ରାଫେଲ ମେରାଇନକୁ ଆଇଏନଏସ୍ ବିକ୍ରାନ୍ତରେ ମୁତୟନ କରାଗଲେ ଭାରତ ମହାସାଗର ଅଞ୍ଚଳରେ ଭାରତ ନୌସେନାର ଶକ୍ତି ବୃଦ୍ଧି ପାଇବ।
ନୌସେନାକୁ ମିଳିବ ୮ ଯୁଦ୍ଧ ଜାହାଜ
୪୦ ହଜାର କୋଟି ମଞ୍ଜୁର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସମ୍ବନ୍ଧିତ କ୍ୟାବିନେଟ୍ କମିଟି (ସିସିଏସ) ଭାରତୀୟ ନୌସେନା ପାଇଁ ୮ଟି ନୂଆ କର୍ଭେଟ୍ ଯୁଦ୍ଧଜାହାଜ ନିର୍ମାଣକୁ ମଞ୍ଜୁରୀ ଦେଇଛି। ଏହି ପ୍ରକଳ୍ପରେ ୪୦ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯିବ। ଏହି ଯୁଦ୍ଧଜାହାଜ ଗୁଡ଼ିକର ୭୦ ପ୍ରତିଶତରୁ ଅଧିକ ଉପକରଣ ଭାରତରେ ନିର୍ମାଣ କରାଯିବ। ଏହା ଦ୍ୱାରା ଦେଶରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ରିପୋର୍ଟ ଅନୁଯାୟୀ, ବର୍ଷେ ମଧ୍ୟରେ ପ୍ରଥମ ଯୁଦ୍ଧଜାହାଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ୨୦୩୦ ସୁଦ୍ଧା ଏହାକୁ ନୌସେନାକୁ ହସ୍ତାନ୍ତର କରିବାର ଲକ୍ଷ୍ୟ ରଖାଯାଇଛି। ଏହି ୮ଟି ଯୁଦ୍ଧଜାହାଜ ସରକାରୀ କ୍ଷେତ୍ରର ଦୁଇଟି କମ୍ପାନୀ ନିର୍ମାଣ କରିବେ। ଏଥିରେ କଲକାତାର ଗାର୍ଡେନ୍ ରିଚ୍ ସିପ୍ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ (ଜିଆରଏସଇ) ଓ ଗୋଆ ସିପ୍ୟାର୍ଡ ଲିମିଟେଡ୍ (ଜିଏସଏଲ) ସାମିଲ ରହିଛି। ଆସନ୍ତା କିଛି ଦିନ ମଧ୍ୟରେ ଉଭୟ କମ୍ପାନୀ ସହ ନିର୍ମାଣ ଚୁକ୍ତି ସ୍ୱାକ୍ଷର ହୋଇପାରେ। ଏହି ଯୁଦ୍ଧ ଜାହାଜ ଦ୍ୱାରା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇବା ସହ ଦେଶରେ ଯୁଦ୍ଧଜାହାଜ ନିର୍ମାଣ କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।