ରାମ ମନ୍ଦିର ଦାନ ଚୋରି ଘଟଣାର ଖୋଲିଲା ବଡ଼ ଗୁମର; ସିସିଟିଭି ଖୋଲିଲା ରହସ୍ୟ! ଜାଣନ୍ତୁ….

Sep 21, 2026 - 20:04
ରାମ ମନ୍ଦିର ଦାନ ଚୋରି ଘଟଣାର ଖୋଲିଲା ବଡ଼ ଗୁମର; ସିସିଟିଭି ଖୋଲିଲା ରହସ୍ୟ! ଜାଣନ୍ତୁ….

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ଦାନ ଚୋରି ଅଭିଯୋଗ ମାମଲାରେ ଖୋଲିଛି ବଡ ଗୁମର। ମନ୍ଦିର ପରିସରର ସିସିଟିଭି  ଫୁଟେଜ୍‌ ଯାଞ୍ଚ ପରେ ଦାନ ଚୋରିର ୧୦୫ଟି ଘଟଣା ଚିହ୍ନଟ ହୋଇଥିବା ସୋମବାର ସୁପ୍ରିମକୋର୍ଟଙ୍କୁ ଜଣାଇଛି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT)।ସଲିସିଟର ଜେନେରାଲ ତୁଷାର ମେହଟା ଏସଆଇଟିର ଷ୍ଟାଟସ୍ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟଙ୍କୁ ତଦନ୍ତର ବିସ୍ତୃତ ତଥ୍ୟ ଦେଇଥିଲେ। ସେ କହିଥିଲେ ଯେ ତଦନ୍ତ ପ୍ରାୟ ଶେଷ ପର୍ଯ୍ୟାୟରେ ରହିଛି ଏବଂ ସେପ୍ଟେମ୍ବର ୨୫ ସୁଦ୍ଧା ଚାର୍ଜସିଟ୍ ଦାଖଲ କରାଯିବ।ଏସଆଇଟି ରିପୋର୍ଟ ଅନୁସାରେ, ମନ୍ଦିରର ସିସିଟିଭି ଫୁଟେଜ୍‌ର ବିଶ୍ଳେଷଣ କରି ଦାନ ଚୋରି ସହ ଜଡ଼ିତ ୧୦୫ଟି ଘଟଣା ଚିହ୍ନଟ କରାଯାଇଛି। ଏହା ସହିତ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ମଧ୍ୟ ତଦନ୍ତରେ ସାମିଲ କରାଯାଇଛି।

ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ସହ ଅନ୍ୟାନ୍ୟ ସାମଗ୍ରୀକୁ କିପରି ବିଶ୍ଳେଷଣ କରାଯାଇଥିଲା, ସେନେଇ ମଧ୍ୟ ଷ୍ଟାଟସ୍ ରିପୋର୍ଟରେ ତଥ୍ୟ ରହିଛି। ତଦନ୍ତରେ ମିଳିଥିବା ପ୍ରମାଣଗୁଡ଼ିକୁ ମଧ୍ୟ କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ମନ୍ଦିରର ଦାନ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ତଥ୍ୟ ଦିଆଯାଇଛି। ମୂଲ୍ୟବାନ ସାମଗ୍ରୀ ପାଇଁ ସଫ୍ଟୱେର ମାଧ୍ୟମରେ ରସିଦ ପ୍ରସ୍ତୁତ ହେଉଥିବା ବେଳେ ସେଗୁଡ଼ିକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଲକରରେ ସୁରକ୍ଷିତ ରଖାଯାଉଥିବା ଏସଆଇଟି ପକ୍ଷରୁ କୁହାଯାଇଛି।ଏସଆଇଟିର ତଦନ୍ତ ପ୍ରାୟ ଶେଷ ହୋଇଥିବା ଏବଂ ସେପ୍ଟେମ୍ବର ୨୫ ସୁଦ୍ଧା ଚାର୍ଜଶିଟ୍ ଦାଖଲ ହେବ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଯାଇଛି। ଚାର୍ଜଶିଟ୍ ଦାଖଲ ପରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ମାଜିଷ୍ଟ୍ରେଟଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଏସଆଇଟି ରିପୋର୍ଟର ଏକ କପି ଦେବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ଖଣ୍ଡପୀଠ ଏହି ଅନୁରୋଧକୁ ଗ୍ରହଣ କରିନଥିଲେ। ମାମଲାକୁ ସେସନ୍ସ ଜଜଙ୍କ ଅଧୀନରୁ ନିଜ ହାତକୁ ନେବାକୁ ଚାହୁଁନଥିବା କୋର୍ଟ ସ୍ପଷ୍ଟ କରିଥିଲେ। ଆବଶ୍ୟକତା ପଡ଼ିଲେ ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ମଧ୍ୟ କହିଛନ୍ତି।

ଚଳିତ ବର୍ଷ ଦାନ ଚୋରି ଅଭିଯୋଗକୁ ନେଇ ବିବାଦ ବଢ଼ିବା ପରେ ରାମ ମନ୍ଦିର ଟ୍ରଷ୍ଟର ପ୍ରଶାସନିକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଆସିଥିବା ରିପୋର୍ଟରେ କୁହାଯାଇଛି। ସିଇଓ ଙ୍କ ନେତୃତ୍ୱରେ ନୂଆ ପ୍ରଶାସନିକ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ପୂର୍ବତନ ସେନା ଅଧିକାରୀ ଜିତେନ୍ଦ୍ର ମିଶ୍ରଙ୍କୁ ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି।ନୂଆ ବ୍ୟବସ୍ଥାରେ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରାଯିବ ଏବଂ ଭବିଷ୍ୟତରେ କାର୍ଯ୍ୟପ୍ରଣାଳୀକୁ ଆହୁରି ଉନ୍ନତ କରାଯିବ ବୋଲି ସେ କହିଛନ୍ତି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।