ରାସ୍ତା ନାହିଁ, ସ୍କୁଲ ବନ୍ଦ; ଭବିଷ୍ୟତ ନେଇ ଚିନ୍ତାରେ ପିଲା
ଆସିକା: ଗାଁକୁ ନାହିଁ ପକ୍କା ରାସ୍ତା। ରାସ୍ତା ପାଇଁ ପାଠପଢ଼ା ଠପ୍। ଆବଡ଼ା ଖାବଡ଼ା ପାହାଡ଼ିଆ ରାସ୍ତାରେ ଯାତାୟାତ ମୁସ୍କିଲ। ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଉପାନ୍ତ ତାନାର୍ଜୀପଲ୍ଲୀ ଗାଁ । ଗଞ୍ଜାମ-ଗଜପତି ସୀମାନ୍ତରେ ଅବସ୍ଥିତ ଏହି ଗାଁରେ ପ୍ରାୟ ୫୦ ପରିବାର ବସବାସ କରନ୍ତି। ବଣ, ପାହାଡ଼ ଆଉ ଦୁର୍ଗମ ରାସ୍ତା ଯୋଗୁଁ ପିଲାଙ୍କ ପାଇଁ ଶିକ୍ଷା ଏଠି ଏକ ବଡ଼ ଚ୍ୟାଲେଞ୍ଜ । ସ୍ୱଳ୍ପ ପିଲା ଥିବା ଦର୍ଶାଇ ଏଠାରେ ଥିବା ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଫଳରେ କିଛି ପିଲାଙ୍କ ପାଠପଢ଼ାରେ ଡୋରି ଲାଗିଥିବାବେଳେ ଆଉ କିଛି ପିଲାଙ୍କୁ ପଡ଼ୋଶୀ ଜିଲ୍ଲା ଗଜପତିକୁ ଯିବାକୁ ପଡୁଛି । ପ୍ରାୟ ୬ କିଲୋମିଟର ପାହାଡ଼ିଆ ଓ ବିପଦସଙ୍କୁଳ ରାସ୍ତାରେ ଗଜପତି ବାଲିପଦାର ସ୍କୁଲକୁ ଯାଉଛନ୍ତି ପିଲା। ଗାଁରେ ଥିବା ସ୍କୁଲକୁ ୨୦ କିଲୋମିଟର ଦୂରରେ ଥିବା କାଦଗୁଡା ସ୍କୁଲ ସହ ମିଶ୍ରଣ କରାଯାଇଛି। ଫଳରେ ଏତେ ଦୂର ଯାଇ ପାଠ ପଢିବା ପିଲାଙ୍କ ପକ୍ଷେ ସମ୍ଭବ ହେଉନି। ତେଣୁ ଅନେକ ପିଲା ଅଧାରୁ ପାଠ ଛାଡିଛନ୍ତି। ଏଠାରେ ଥିବା ସ୍କୁଲକୁ ପୁନର୍ବାର ଖୋଲିବା ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନି। ଏବେ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ଅଭିଭାବକ। ତୁରନ୍ତ ସ୍କୁଲ ଖୋଲିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।