ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗିଲା ଶାହରୁଖଙ୍କ ‘କିଙ୍ଗ’, ବଢୁଛି ଉତ୍ସାହ
ମୁମ୍ବାଇ: ବଲିଉଡ୍ର ବାଦଶାହ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’କୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା। ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଏହା ଏକ ବଡ଼ ରେକର୍ଡ କରିଛି। ‘କିଙ୍ଗ’ର ବିଦେଶୀ ଥିଏଟ୍ରିକାଲ ରାଇଟ୍ସ ୧୭୫ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହାକୁ ଭାରତୀୟ ସିନେମା ଜଗତର ସବୁଠୁ ବଡ଼ ଓଭରସିଜ ରାଇଟ୍ସ ଡିଲ ବୋଲି କୁହାଯାଉଛି। ଫାର୍ସ ଫିଲ୍ମସ (Fars Films) ଶାହରୁଖଙ୍କ ଫିଲ୍ମ ‘କିଙ୍ଗ’ର ଓଭରସିଜ ଡିଷ୍ଟ୍ରିବ୍ୟୁସନ ରାଇଟ୍ସ ପାଇଁ ୧୭୫ କୋଟି ଟଙ୍କାର ମିନିମମ ଗ୍ୟାରେଣ୍ଟି ଦେଇଛି। ଏହି ଡିଲ ୧୮ ମିଲିୟନ ଡଲାରରୁ ଅଧିକ ବୋଲି କୁହାଯାଉଛି।
ଏପର୍ଯ୍ୟନ୍ତ ଶାହରୁଖଙ୍କ ଅଧିକାଂଶ ଫିଲ୍ମର ବିଦେଶୀ ବିତରଣ ଅଧିକାର ଯଶରାଜ ଫିଲ୍ମସ (YRF) ପାଖରେ ରହୁଥିଲା। ୨୦୨୩ରେ ରିଲିଜ ହୋଇଥିବା ‘ପଠାନ’ ଓ ‘ଜୱାନ’ର ବିଦେଶୀ ବଜାରରେ ବିତରଣ ଦାୟିତ୍ୱ ମଧ୍ୟ YRF ନେଇଥିଲା। ଉଭୟ ଫିଲ୍ମ ବକ୍ସ ଅଫିସ୍ରେ ବଡ଼ ସଫଳତା ପାଇଥିଲା। ଅନ୍ୟପଟେ ଫାର୍ସ ଫିଲ୍ମସ୍ ମଧ୍ୟ ଅନ୍ତର୍ଜାତୀୟ ବିତରଣ କ୍ଷେତ୍ରରେ ଭଲ ଅଭିଜ୍ଞତା ରହିଛି। ଏହି କମ୍ପାନୀ YRF ସହ ମିଶି ଅନେକ ଫିଲ୍ମରେ କାମ କରିଛି। ଏହା ସହ ପ୍ରଭାସଙ୍କ ଫିଲ୍ମ ‘ସାହୋ’ର ବିଦେଶୀ ବିତରଣ ମଧ୍ୟ କରିଥିଲା।
ଶାହରୁଖଙ୍କ ‘ପଠାନ’ ଓ ‘ଜୱାନ’ ବିଦେଶୀ ବଜାରରେ ପ୍ରାୟ ୪୦୦ କୋଟି ଟଙ୍କା ଲେଖାଏ ଆୟ କରିଥିଲା। ତେଣୁ ‘କିଙ୍ଗ’ ପାଇଁ ମଧ୍ୟ ଏଭଳି ବଡ଼ ଆୟର ଆଶା ରଖାଯାଉଛି। ଶାହରୁଖଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସିଦ୍ଧାର୍ଥ ଆନନ୍ଦ। ୨୦୨୩ର ବ୍ଲକବଷ୍ଟର ଫିଲ୍ମ ‘ପଠାନ’ ପରେ ଶାହରୁଖ ଓ ସିଦ୍ଧାର୍ଥଙ୍କ ଏହା ଦ୍ୱିତୀୟ ମିଳିତ ପ୍ରୋଜେକ୍ଟ। ଏହି ଫିଲ୍ମରେ ଶାହରୁଖଙ୍କ ସହ ସୁହାନା ଖାନ, ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ରାଣୀ ମୁଖାର୍ଜୀ, ଜୟଦୀପ ଅହଲାୱତ୍, ରାଘବ ଜୁୟାଲ ଓ ସୌରଭ ଶୁକ୍ଳାଙ୍କ ଭଳି କଳାକାର ନଜର ଆସିବେ। ଫିଲ୍ମଟି ଡିସେମ୍ବର ୨୪ରେ ସିନେମା ହଲ୍କୁ ଆସିବ। ରିଲିଜ ପୂର୍ବରୁ ୧୭୫ କୋଟିର ଓଭରସିଜ ଡିଲ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।