ରିଲିଫ ନେଇ ଫେରୁଥିବା ବେଳେ ଛାତ୍ରଙ୍କ ମୁଣ୍ଡରେ ପଡ଼ିଗଲା ନଡ଼ିଆ, ତାପରେ….

Sep 03, 2026 - 12:42
ରିଲିଫ ନେଇ ଫେରୁଥିବା ବେଳେ ଛାତ୍ରଙ୍କ ମୁଣ୍ଡରେ ପଡ଼ିଗଲା ନଡ଼ିଆ, ତାପରେ….

ବାରିପଦା,୨।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହର ମଧୁବନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗଛରୁ ନଡ଼ିଆ ଖସି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୁଣ୍ଡରେ ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ମଧୁବନ ତଳସାହି ଅଞ୍ଚଳର ଅଜୟ ପାତ୍ରଙ୍କ ୧୧ ବର୍ଷୀୟ ପୁଅ ବାଦଲ ପାତ୍ର ବୁଧବାର ରିଲିଫ ଖାଦ୍ୟ ନେଇ ଘରକୁ ଫେରିବା ସମୟରେ ଏହି ଦୁଃଖଦ ଘଟଣା ଘଟିଛି।ଅଜୟଙ୍କ କହିବା ଅନୁଯାୟୀ ବନ୍ୟାରେ ତାଙ୍କ ଘରଟି ବୁଡିଯାଇଥିବାରୁ ବୁଧବାର ତାଙ୍କ ପୁଅ ବାଦଲ ରିଲିଫ ଖାଦ୍ୟ ଆଣିବାକୁ ଯାଇଥିଲେ ।ଫେରୁଥିବା ବେଳେ ବାଟରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ଥିବା ଏକ ନଡ଼ିଆ ଗଛରୁ ନଡ଼ିଆ ତାଙ୍କ ମୁଣ୍ଡରେ ପଡିଯାଇଥିଲା। ବାଦଲ ଘରକୁ ଫେରି ତାର ମୁଣ୍ଡ ଯନ୍ତ୍ରଣା ହେଉଥିବା ନେଇ ଅଜୟଙ୍କୁ ଜଣାଇଥିଲେ । ଯନ୍ତ୍ରଣା ଅଧିକ ହେବାରୁ ବାଦଲଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଚିକିତ୍ସା ନିମନ୍ତେ ନିଆ ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପରେ ଶବ ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।