ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ ପର୍ଯ୍ୟଟକ ଛାନିଆ

Sep 12, 2026 - 12:09
ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ ପର୍ଯ୍ୟଟକ ଛାନିଆ

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗର ଅଗ୍ନିବୀରମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଫଳରେ ନିଆଁ ଅନ୍ୟ କଟେଜଗୁଡ଼ିକୁ ବ୍ୟାପିବା ପୂର୍ବରୁ ତାହାକୁ ନିୟନ୍ତ୍ରଣ କରାଯାଇପାରିଥିଲା।

ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ସୂଚନା ଅନୁଯାୟୀ, ରିସର୍ଟର ଜଣେ ମହିଳା କର୍ମଚାରୀଙ୍କ କହିବା ପ୍ରକାରେ କଟେଜ ଭିତରେ ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବା ସହ ନିଆଁ ବାହାରିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ ଏସି ଫାଟିବା ଯୋଗୁ ନିଆଁ ଲାଗିଥାଇପାରେ ବୋଲି ପ୍ରାଥମିକ ଭାବେ ଅଗ୍ନିଶମ ବିଭାଗ ସନ୍ଦେହ କରିଛି। କଟେଜଟି ସମ୍ପୂର୍ଣ୍ଣ କପଡ଼ା ଟେଣ୍ଟରେ ନିର୍ମିତ ହୋଇଥିବାରୁ ଏସିରୁ ନିଆଁ ବାହାରିବା ପରେ ତାହା ଦ୍ରୁତଗତିରେ ବ୍ୟାପିଯାଇଥିବା ଅଧିକାରୀ କହିଛନ୍ତି।

ଘଟଣା ସମୟରେ କଟେଜରେ କୌଣସି ପର୍ଯ୍ୟଟକ ରାତ୍ରିଯାପନ କରୁ ନ ଥିବାରୁ ବଡ଼ଧରଣର ଅଘଟଣ ଏଡ଼ାଇ ଦିଆଯାଇଛି। ମାତ୍ର ରିସର୍ଟରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ଅଗ୍ନିନିରାପତ୍ତା ବ୍ୟବସ୍ଥା ନ ଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ପର୍ଯ୍ୟଟନ ଋତୁ ଆରମ୍ଭ ପୂର୍ବରୁ ରିସର୍ଟ ଓ ହୋଟେଲଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଅଗ୍ନିନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ବିଭାଗ ପକ୍ଷରୁ ଆହ୍ବାନ କରାଯାଇଛି।

ସୂଚନାଯୋଗ୍ୟ, ଉକ୍ତ ରିସର୍ଟଟି ସମ୍ପୂର୍ଣ୍ଣ ଘରୋଇ ହୋଇଥିବା ବେଳେ ସେଠାରେ ଏମୁ ପକ୍ଷୀ ରହିଛନ୍ତି। ଏମୁ ପକ୍ଷୀ ଦେଖିବା ପାଇଁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଏଠାକୁ ଆସୁଥିବା ଜଣାପଡ଼ିଛି। ଏଭଳି ସ୍ଥାନରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବା ଘଟଣା ପରେ ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।

ଘଟଣା ସମ୍ପର୍କରେ ରିସର୍ଟ ମାଲିକ ରାମକୃଷ୍ଣ ପାତ୍ରଙ୍କ ସହ ମୋବାଇଲ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।

ଏନେଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗର ଅଧିକାରୀ ସରୋଜ ଜେନାଙ୍କ ସହ ଯୋଗାଯୋଗ କରାଯିବାରୁ ଘଟଣାର ତଦନ୍ତ କରାଯାଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।