ଲଗାତାର ୨ ପରାଜୟ ପରେ ନ୍ୟୁଜିଲାଣ୍ଡ ଦଳରେ ବଡ଼ ପରିବର୍ତ୍ତନ: ପୂରା ସିରିଜରୁ ବାଦ୍ ପଡିଲେ…
ନୂଆଦିଲ୍ଲୀ, ୨୫।୧୦: ଭାରତ ବନାମ ନ୍ୟୁଜିଲାଣ୍ଡ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦୁଇଟି ମ୍ୟାଚ ଶେଷ ହୋଇଛି। ତୃତୀୟ ମ୍ୟାଚ ମଙ୍ଗଳବାର ୱେଲିଂଟନରେ ଖେଳାଯିବ। ଟିମ ଇଣ୍ଡିଆ ପ୍ରଥମ ଦୁଇଟି ମ୍ୟାଚ ଜିତି ସିରିଜରେ ୨-୦ରେ ଅଗ୍ରଣୀ ରହିଛି। ଏବେ ନ୍ୟୁଜିଲାଣ୍ଡ ପାଇଁ ପ୍ରତ୍ୟେକ ମ୍ୟାଚ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। କିନ୍ତୁ ଆଗାମୀ ମ୍ୟାଚଗୁଡ଼ିକରେ ଘରୋଇ ଦଳର ଦ୍ରୁତ ବୋଲିଂ ବିଭାଗର କଠିନ ପରୀକ୍ଷା ହେବ। କାରଣ ମ୍ୟାଟ ହେନରୀ ପୂରା ସିରିଜରୁ ବାଦ୍ ପଡ଼ିଛନ୍ତି। ଲକି ଫର୍ଗୁସନ ତୃତୀୟ ମ୍ୟାଚ ଖେଳିବେ ନାହିଁ। ସେହିପରି କାଇଲ ଜେମିସନ ଚତୁର୍ଥ ଓ ପଞ୍ଚମ ଟି-୨୦ ପାଇଁ ଉପଲବ୍ଧ ରହିବେ ନାହିଁ।
ମ୍ୟାଟ ହେନରୀ, ଲକି ଫର୍ଗୁସନ ଓ କାଇଲ ଜେମିସନଙ୍କୁ ନେଇ ଏହି ଅପଡେଟ ଆସିଛି। ତେବେ ମ୍ୟାଟ ହେନରୀ ଆହତ କାରଣରୁ ବାକି ମ୍ୟାଚରୁ ବାଦ ପଡ଼ିନାହାନ୍ତି। ସେହିପରି ଲକି ଫର୍ଗୁସନ ଓ କାଇଲ ଜେମିସନ ମଧ୍ୟ ଆହତ ନୁହନ୍ତି। ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ କୁହାଯାଇଛି ଯେ ଭାରତ ବିପକ୍ଷ ଟି-୨୦ ସିରିଜରେ ଏହି ଖେଳାଳିଙ୍କୁ ନେଇ ନିଆଯାଇଥିବା ନିଷ୍ପତ୍ତି ‘ପ୍ଲାନ୍ଡ ୱାର୍କଲୋଡ ମ୍ୟାନେଜମେଣ୍ଟ’ ଅର୍ଥାତ୍ ଯୋଜନାବଦ୍ଧ ଭାବେ ଖେଳାଳିଙ୍କ କାର୍ଯ୍ୟଭାର ପରିଚାଳନାର ଅଂଶ।
ମ୍ୟାଟ ହେନରୀ କ୍ରାଇଷ୍ଟଚର୍ଚ୍ଚରେ ହିଁ ରହିବେ। ଏଠାରେ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଖେଳାଯାଇଥିଲା। ସେ ଟି-୨୦ ସିରିଜର ବାକି ତିନୋଟି ମ୍ୟାଚରେ ଖେଳିବେ ନାହିଁ। ଭାରତ ବିପକ୍ଷରେ ନଭେମ୍ବର ୪ ତାରିଖରେ ହେବାକୁ ଥିବା ପ୍ରଥମ ଦିନିକିଆ (ODI) ପୂର୍ବରୁ ସେ ଅକ୍ଲାଣ୍ଡରେ ପହଞ୍ଚିବେ।
ମଙ୍ଗଳବାର, ଅକ୍ଟୋବର ୨୭ରେ ଖେଳାଯିବାକୁ ଥିବା ତୃତୀୟ ଟି-୨୦ ପାଇଁ ଲକି ଫର୍ଗୁସନ ୱେଲିଂଟନ ଯିବେ ନାହିଁ। ସେ ଅକ୍ଲାଣ୍ଡ ଯିବେ। ତେବେ ଚତୁର୍ଥ ଓ ପଞ୍ଚମ ଟି-୨୦ ପାଇଁ ସେ ଉପଲବ୍ଧ ରହିବେ। ଚତୁର୍ଥ ଟି-୨୦ ଅକ୍ଟୋବର ୩୦ରେ ଅକ୍ଲାଣ୍ଡରେ ଏବଂ ପଞ୍ଚମ ଟି-୨୦ ନଭେମ୍ବର ୧ରେ ହାମିଲଟନରେ ଖେଳାଯିବ।
କାଇଲ ଜେମିସନ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଖେଳିନଥିଲେ। କିନ୍ତୁ ତୃତୀୟ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିପାରେ। ତେବେ ସେ ଚତୁର୍ଥ ଓ ପଞ୍ଚମ ଟି-୨୦ ମ୍ୟାଚ ପାଇଁ ଉପଲବ୍ଧ ରହିବେ ନାହିଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।