ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସହଯୋଗୀ କାନାଡାରୁ ନିର୍ବାସିତ, ଦିଲ୍ଲୀରେ ଗିରଫ

Sep 15, 2026 - 16:04
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସହଯୋଗୀ କାନାଡାରୁ ନିର୍ବାସିତ, ଦିଲ୍ଲୀରେ ଗିରଫ

ନୂଆଦିଲ୍ଲୀ : ଆମେରିକାରେ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇକୁ ଲଜିଷ୍ଟିକ୍ ସହାୟତା ଏବଂ ଲୁଚି ରହିବା ପାଇଁ ଆଶ୍ରୟ ଦେଇଥିବା ଅଭିଯୋଗ ଥିବା ଅପରାଧୀ କରମବୀର ସିଂହଙ୍କୁ କାନାଡାରୁ ଭାରତକୁ ନିର୍ବାସିତ କରାଯାଇଛି। ଏହା ପରେ ଦିଲ୍ଲୀରେ ତାଙ୍କୁ ଗିରଫ କରାଯାଇଛି। ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଘନିଷ୍ଠ ସହଯୋଗୀ କରମବୀର ସିଂହଙ୍କୁ କାନାଡାରୁ ନିର୍ବାସନ ପରେ ମଙ୍ଗଳବାର ଦିନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପଞ୍ଜାବ ପୋଲିସ ଗିରଫ କରିଛି। ଭାରତରେ ପହଞ୍ଚିବା ପରେ କରମବୀର ସିଂହଙ୍କୁ ଆଣ୍ଟି-ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ (ଏଜିଟିଏଫ୍‌) ହେପାଜତକୁ ନେଇଥିଲା। ପଞ୍ଜାବ ପୋଲିସ ଏହି ଗିରଫକୁ ଆନ୍ତର୍ଜାତୀୟ ସ୍ତରରେ ଚାଲୁଥିବା ସଂଗଠିତ ଅପରାଧ ବିରୋଧରେ ତାଙ୍କ ଅଭିଯାନରେ ଏକ ବଡ଼ ସଫଳତା ବୋଲି କହିଛି। ପଞ୍ଜାବ ପୋଲିସ ଅନୁସାରେ, କରମବୀର ସିଂହ ଆମେରିକାରେ ଅନମୋଲ ବିଷ୍ଣୋଇକୁ ଲଜିଷ୍ଟିକ୍ ସହାୟତା ଏବଂ ଲୁଚି ରହିବା ପାଇଁ ଆଶ୍ରୟ ଯୋଗାଇଥିଲା। ଅନମୋଲ ବିଷ୍ଣୋଇ ହେଉଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନଭାଇ। କରମବୀର ସିଂହକୁ ଆର୍ମ୍ସ ଆକ୍ଟ ଏବଂ ପାସପୋର୍ଟ ଆକ୍ଟ ସମେତ ବିଭିନ୍ନ ଅଭିଯୋଗ ସହିତ ଜଡ଼ିତ ଏକ ମାମଲାରେ ପୋଲିସ ଖୋଜୁଥିଲା। ଚଳିତ ମାସ ଆରମ୍ଭରେ ପଞ୍ଜାବ ପୋଲିସ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ମଧ୍ୟ ଜାରି କରିଥିଲା। ପଞ୍ଜାବ ପୋଲିସ ଡିଜିପି ଗୌରବ ଯାଦବ ଏକ ବିବୃତ୍ତିରେ କହିଛନ୍ତି ଯେ, ‘ଅଭିଯୁକ୍ତର ଏକ ଅପରାଧିକ ଇତିହାସ ରହିଛି। ଏଥିରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଆଦାୟ, ଆର୍ମ୍ସ ଆକ୍ଟ ଅଧୀନରେ ଅପରାଧ ଏବଂ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ସମ୍ପର୍କିତ ମାମଲା ରହିଛି। ସେ ଏହାକୁ ଆନ୍ତର୍ଜାତୀୟ ସଂଗଠିତ ଅପରାଧ ବିରୋଧରେ ଏକ ବଡ଼ ସଫଳତା ବୋଲି କହିଛନ୍ତି।
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।