ଲରେନ୍ସ ବିଷ୍ଣୋଇର ଘନିଷ୍ଠ ସହଯୋଗୀ ହ୍ୟାରି ବକ୍ସର ଆମେରିକାରେ ଗିରଫ

Nov 07, 2026 - 15:18
ଲରେନ୍ସ ବିଷ୍ଣୋଇର ଘନିଷ୍ଠ ସହଯୋଗୀ ହ୍ୟାରି ବକ୍ସର ଆମେରିକାରେ ଗିରଫ

ନୂଆଦିଲ୍ଲୀ : ବଲିଉଡ୍‌ ଜଗତକୁ ଧମକ ଦେଇ ଆତଙ୍କ ସୃଷ୍ଟି କରୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌କୁ ଲାଗିଛି ବଡ଼ ଝଟ୍‌କା। ଆମେରିକାରେ ଗିରଫ ହୋଇଛି ଗ୍ୟାଙ୍ଗ୍‌ର ଘନିଷ୍ଠ ସହଯୋଗୀ ତଥା ଅପରାଧ ଜଗତର ଅନ୍ୟତମ ଚର୍ଚ୍ଚିତ ନାମ ହ୍ୟାରି ବକ୍ସର। ଆମେରିକାରେ ରହି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର କାର୍ଯ୍ୟକଳାପ ପରିଚାଳନା କରୁଥିବା ଅଭିଯୋଗ ଥିବା ବକ୍ସର ଶନିବାର ଗିରଫ ହୋଇଛି। ମୁମ୍ବାଇରେ ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀଙ୍କ ଘର ଆଗରେ ହୋଇଥିବା ଗୁଳିମାଡ଼ ଘଟଣାର ଦାୟିତ୍ୱ ମଧ୍ୟ ସେ ନେଇଥିବା ଦାବି କରିଥିଲା। ହ୍ୟାରି ବକ୍ସର ବିରୋଧରେ ହତ୍ୟା, ହତ୍ୟା ଧମକ ଓ ବଟି ଆଦାୟ ଭଳି ଏକାଧିକ ଗୁରୁତର ଅପରାଧିକ ମାମଲା ରହିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ସହ ଜଡ଼ିତ ଥିବା ବକ୍ସର ରୋହିତ ସେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ପରେ ସୋସିଆଲ ମିଡିଆ ପୋଷ୍ଟ ଓ ଅଡିଓ ମେସେଜ୍‌ ଜରିଆରେ ବଲିଉଡ୍‌ର ଅନେକ ବ୍ୟକ୍ତିତ୍ୱଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ରୋହିତ ସେଟ୍ଟୀଙ୍କ ବାସଭବନ ବାହାରେ ଗୁଳିମାଡ଼ ଘଟଣା ପରେ ଏକାଧିକ ଅଡିଓ ମେସେଜ୍‌ ସାମ୍ନାକୁ ଆସିଥିଲା। ଗ୍ୟାଙ୍ଗ୍‌ର କାର୍ଯ୍ୟକଳାପରେ ହସ୍ତକ୍ଷେପ ନ କରିବାକୁ ଫିଲ୍ମ ନିର୍ମାତାଙ୍କୁ ସେଥିରେ ଚେତାବନୀ ଦିଆଯାଇଥିଲା। ଏଭଳି ଏକ ଅଡିଓ ବାର୍ତ୍ତାରେ ନିଜକୁ ଅର୍ଜୁ ବିଷ୍ଣୋଇ ବୋଲି ପରିଚୟ ଦେଇଥିବା ଜଣେ ବ୍ୟକ୍ତି ହ୍ୟାରି ବକ୍ସର ଓ ଶୁଭମ ଲୋଙ୍କରଙ୍କ ନାଁ ନେଇ ଗୁଳିକାଣ୍ଡର ଦାୟିତ୍ୱ ନେଇଥିଲା। ଏହି ଅଡିଓରେ ଆକ୍ରମଣକୁ କେବଳ ଏକ ‘ଛୋଟ ଟ୍ରେଲର’ ବୋଲି କହିବା ସହ ଗ୍ୟାଙ୍ଗ୍‌ର ବିରୋଧୀଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଥିଲା ହ୍ୟାରି ବକ୍ସରର ଗିରଫ ପୂର୍ବରୁ ଆମେରିକାରେ ଆଉ ଦୁଇ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଓ ନୀରଜ ଫରିଦପୁରିଆଙ୍କୁ ମଧ୍ୟ ଅଟକ ରଖାଯାଇଥିଲା। ଏହି ଘଟଣାଗୁଡ଼ିକ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଅନ୍ତର୍ଜାତୀୟ ନେଟୱର୍କକୁ ନେଇ ଚର୍ଚ୍ଚା ବଢ଼ାଇଛି। ଉଲ୍ଲେଖଯୋଗ୍ୟ, ଲରେନ୍ସ ବିଷ୍ଣୋଇ ବର୍ତ୍ତମାନ ଗୁଜରାଟର ସାବରମତୀ ଜେଲ୍‌ରେ ବନ୍ଦୀ ଅଛି। ୧୯୯୮ର କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ କଥିତ ଭୂମିକାକୁ ନେଇ ସେ ସର୍ବସାଧାରଣରେ ତାଙ୍କ ପ୍ରତି ଶତ୍ରୁତା ଘୋଷଣା କରିଆସିଛି। ହ୍ୟାରି ବକ୍ସରର ଗିରଫ ପରେ ଏହି ଗ୍ୟାଙ୍ଗ୍‌ର ଅପରାଧିକ ନେଟୱର୍କ ସମ୍ପର୍କରେ ଆହୁରି ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।