ଲାଞ୍ଜିଗଡ଼ ବିଧାୟକଙ୍କ ରଣନୀତି ସଫଳ, ଜୟପାଟଣାରେ BCJDର ବାଜିମାତ୍

Oct 15, 2026 - 19:03
ଲାଞ୍ଜିଗଡ଼ ବିଧାୟକଙ୍କ ରଣନୀତି ସଫଳ, ଜୟପାଟଣାରେ BCJDର ବାଜିମାତ୍

ଜୟପାଟଣା,୧୫।୧୦(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ପ୍ରାର୍ଥୀମାନେ ବିପୁଳ ସଫଳତା ହାସଲ କରିଛନ୍ତି । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ମୈଦାନକୁ ଓହ୍ଲାଇଥିବା ବିଜେଡି ସମର୍ଥିତ ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଛାତ୍ରୀଛାତ୍ରଙ୍କ ପୂର୍ଣ୍ଣ ସମର୍ଥନ ଯୋଗୁଁ କଲେଜ କ୍ୟାମ୍ପସରେ ଦଳୀୟ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ସଭାପତି ଭାବେ ବିସିଜେଡିର ଅସୀମ ସାଗର ଏବିଭିପି ସମର୍ଥିତ ପ୍ରାର୍ଥୀ ପୁଷ୍ପାଞ୍ଜଳି ଦୁର୍ଗାଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଉପସଭାପତିରେ ପୂର୍ଣ୍ଣଚନ୍ଦ୍ର ବାଗ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି  । ସେହିପରି ସାଧାରଣ ସମ୍ପାଦକ ଯଶୋଦା ହରିଜନ ପ୍ରତିଦ୍ୱନ୍ଦ୍ୱିତାରେ ସିଦ୍ଧାନ୍ତ ଦେହୁରୀଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି।

ସାଂସ୍କୃତିକ ସମ୍ପାଦକ ହେମାଙ୍ଗିନି ନାଏକ, କ୍ରୀଡ଼ା ସମ୍ପାଦକରେ ଧନୁର୍ଜୟ ପୁଝାରୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି । ଏହି ବିଜୟ ପରେ ସ୍ଥାନୀୟ ରାଜନୀତି ସରଗରମ ହୋଇଉଠିଛି । ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ଆଗାମୀ ଦିନରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଏବଂ ଛାତ୍ରୀଛାତ୍ରଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।