ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

Oct 06, 2026 - 20:19
ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି ବୃଦ୍ଧି ୨୦୨୬ ଅକ୍ଟୋବର ୧ରୁ ଲାଗୁ ହେବ ବୋଲି ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଘୋଷଣା କରିଛି। ଯାହା ଅସଂଗଠିତ ଏବଂ ସର୍ବନିମ୍ନ ମଜୁରୀ ପାଉଥିବା ଶ୍ରମିକମାନଙ୍କୁ ମୁଦ୍ରାସ୍ଫୀତିର ପ୍ରଭାବକୁ କମାଇବାରେ ସାହାଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି।

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସେପ୍ଟେମ୍ବର ୩୦ରେ ଏନେଇ ଆଦେଶ ଜାରି କରିଥିଲା। Code on Wages, ୨୦୧୯ର ଧାରା ୬୯(୨) ଅନୁଯାୟୀ ଏହି ସଂଶୋଧନ କରାଯାଇଛି। ମହଙ୍ଗା ସ୍ଥିତିକୁ ଦେଖି ଭିଡିଏରେ ପରିବର୍ତ୍ତନ ହେଉଥିବାରୁ ଏହାର ସିଧାସଳଖ ପ୍ରଭାବ କେନ୍ଦ୍ରୀୟ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ସର୍ବନିମ୍ନ ମଜୁରି ଉପରେ ପଡ଼ିବ।

କେନ୍ଦ୍ରୀୟ କ୍ଷେତ୍ର ଅଧୀନରେ ଥିବା ବିଭିନ୍ନ କାମରେ ନିୟୋଜିତ ଶ୍ରମିକ ଏହି ସଂଶୋଧନରୁ ଲାଭ ପାଇପାରିବେ। ଏଥିରେ କୃଷି, ନିର୍ମାଣ ଓ ରକ୍ଷଣାବେକ୍ଷଣ, ଲୋଡିଂ-ଅନଲୋଡିଂ, ସଫେଇ, ଚୌକିଦାରୀ ଏବଂ ନିର୍ଦ୍ଦିଷ୍ଟ ଖଣି କାର୍ଯ୍ୟ ସାମିଲ ରହିଛି।

ବିଭିନ୍ନ ଖଣିରେ କାମ କରୁଥିବା ଶ୍ରମିକମାନେ ମଧ୍ୟ ଏହି ଭିଡିଏ ସଂଶୋଧନର ଅଧୀନରେ ଆସନ୍ତି। ଏଥିରେ ଜିପସମ୍, ବାରାଇଟ୍ସ, ବକ୍ସାଇଟ୍, ମାଙ୍ଗାନିଜ୍, ଚାଇନା କ୍ଲେ, କପର, କୋଇଲା ସମ୍ପର୍କିତ ଖଣି ସହିତ ଷ୍ଟୋନ୍, ଗ୍ରାନାଇଟ୍, ମାର୍ବଲ, ଲୌହ ଧାତୁ, ମାଇକା, ଲିଗ୍ନାଇଟ୍, ୟୁରାନିୟମ୍ ଏବଂ ଅନ୍ୟାନ୍ୟ ଖଣିରେ ନିୟୋଜିତ କର୍ମଚାରୀ ରହିଛନ୍ତି।

ମହଙ୍ଗା ସ୍ଥିତିର ପରିବର୍ତ୍ତନକୁ ଧ୍ୟାନରେ ରଖି ବର୍ଷକୁ ଦୁଇଥର VDA ସଂଶୋଧନ କରାଯାଏ। ସାଧାରଣତଃ ଏହା ଏପ୍ରିଲ ୧ ଓ ଅକ୍ଟୋବର ୧ରୁ ଲାଗୁ ହୁଏ। ଶ୍ରମ ମନ୍ତ୍ରଣାଳୟ ଅଧୀନସ୍ଥ ଲେବର ବ୍ୟୁରୋ CPI-IWର ଗତ ୬ ମାସର ହାରାହାରି ପରିବର୍ତ୍ତନକୁ ଆଧାର କରି VDA ସଂଶୋଧନ କରେ। ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ମହଙ୍ଗା ସ୍ଥିତି ସହିତ ଶ୍ରମିକଙ୍କ ମଜୁରିକୁ ସମନ୍ୱୟ କରିବା।

VDA ବୃଦ୍ଧି ଫଳରେ କେନ୍ଦ୍ରୀୟ କ୍ଷେତ୍ରର ସର୍ବନିମ୍ନ ମଜୁରି ହାରରେ ପରିବର୍ତ୍ତନ ହେବ। ଅର୍ଥାତ୍ ଯୋଗ୍ୟ ଶ୍ରମିକଙ୍କ ଦୈନିକ ମଜୁରିରେ ବୃଦ୍ଧି ହେବ ଏବଂ ମହଙ୍ଗାଇ ଯୋଗୁ ଜୀବନଯାପନ ଖର୍ଚ୍ଚ ବଢ଼ିବାର ପ୍ରଭାବକୁ କିଛି ମାତ୍ରାରେ ସମନ୍ୱୟ କରିବାରେ ଏହା ସହାୟକ ହେବ। ତେବେ ଭିଡିଏ ବୃଦ୍ଧିରୁ ମିଳୁଥିବା ନିର୍ଦ୍ଦିଷ୍ଟ ରାଶି ଶ୍ରମିକଙ୍କ କାର୍ଯ୍ୟ ଓ କେନ୍ଦ୍ରୀୟ କ୍ଷେତ୍ର ଅଧୀନରେ ଥିବା ନିର୍ଦ୍ଦିଷ୍ଟ ମଜୁରି ଶ୍ରେଣୀ ଅନୁସାରେ ଭିନ୍ନ ହୋଇଥାଏ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।