ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା କେବେ ?

Oct 14, 2026 - 19:15
ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା କେବେ ?

ପୁରୀ: ଦିନକୁ ଦିନ ଶ୍ରୀମନ୍ଦିରରେ ଜମୁଛି ଅସମ୍ଭାଳ ଭିଡ଼ । ଶ୍ରୀମୁଖ ଦେଖିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଭକ୍ତ । ବଢୁଛି ଜନ ଅସନ୍ତୋଷ ।  ଶୃଙ୍ଖଳା ରକ୍ଷା ପାଇଁ ଧାଡି ଦର୍ଶନ ବ୍ୟବସ୍ଥା ନେଇ ଯୋଜନା ରଖିଛି ପ୍ରଶାସନ । ନାଟ ମଣ୍ଡପ ଭିତରେ କାଠରେ ନିର୍ମିତ ସ୍ୱତନ୍ତ୍ର ରାମ୍ପ ପକାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଉଠିଛି ପ୍ରଶ୍ନ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନାମରେ ସେବାୟତ ମାନଙ୍କର ଆଲମିରା ହଟାଯାଇଥିବା ବେଳେ ସେଠାରେ ପୁନର୍ବାର କାଠ ରାମ୍ପ ପକାଯିବା ଠିକ ନୁହେଁ ବୋଲି ମତ ପ୍ରକାଶ ପାଇଛି । ପ୍ରାଚୀନ କାଳରୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ନେଇ ପ୍ରତିହାରି ସେବାୟତ ମାନଙ୍କର ପ୍ରମୁଖ ଭୂମିକା ରହିଛି । ବର୍ତ୍ତମାନ ସମୟରେ ଭିତରେ ଦର୍ଶନ ପାଇଁ ହ୍ୟୁମାନ ଚେନ ଅଥବା ରୋପ୍ ର  ବ୍ୟବହାର କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାହା ଧାଡି ଦର୍ଶନ ବ୍ୟବସ୍ଥା ଠାରୁ ଉତ୍କୃଷ୍ଟ ହେବ ବୋଲି ପ୍ରତିହାରୀ ନିଯୋଗ ସମ୍ପାଦକ ଯୁକ୍ତି ବାଢିଛନ୍ତି ।

ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ଶ୍ରୀମନ୍ଦିରରେ ଖୁବଶୀଘ୍ର ରାମ୍ପ ମାଧ୍ୟମରେ ଧାଡି ଦର୍ଶନ ବ୍ୟବସ୍ଥା ଗ୍ରହଣ କରାଯିବାକୁ ବ୍ୟବସ୍ଥା କରାଯାଉଛି। ଏ ନେଇ ଆଇଆଇଟି ଭୁବନେଶ୍ୱର ଦ୍ୱାରା ସ୍ୱତନ୍ତ୍ର ରାମ୍ପ ପ୍ରସ୍ତୁତ କରାଯାଇଥିବା ବେଳେ ଏହାର ପରୀକ୍ଷଣ କରାଯାଇ ଶ୍ରୀମନ୍ଦିରରେ ପକାଯିବ । ତେବେ ହ୍ୟୁମାନ ଚେନ ବା ରୋପ୍ ଦ୍ୱାରା ଦର୍ଶନ ବ୍ୟବସ୍ଥା ପ୍ରସ୍ତାବ ଉପରେ ସମୀକ୍ଷା କରାଯାଇଛି । ତାହା ସେତେଟା ସଫଳ ହେବ ନାହିଁ ବୋଲି ଆଇନ ମନ୍ତ୍ରୀ ମତ ରଖିଛନ୍ତି। ରାମ୍ପ ଦ୍ୱାରା ଶୃଙ୍ଖଳିତ ଧାଡି ଦର୍ଶନ ବ୍ୟବସ୍ଥା ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଶ୍ରୀମନ୍ଦିରରେ ଦୈନିକ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଦର୍ଶନ ବ୍ୟବସ୍ଥାରେ କେବେ ଶୃଙ୍ଖଳା ହେବ ତାହା ଦେଖିବାକୁ ବାକି ରହିଛି  ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।