ଷଣ୍ଢକୁ ଆକ୍ରମଣ କରି ଖାଇଲା କୁମ୍ଭୀର
ରାଜନଗର, ୧୮।୮ (ଭାସ୍କର ରାଉତରାୟ): ବନ୍ୟା ଆସିବା ଯୋଗୁ ଏବେ ବଉଳା କୁମ୍ଭୀରଙ୍କ ଆତଙ୍କ ବଢ଼ିଛି। ବନ୍ୟା ପ୍ରପୀଡ଼ିତ ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ଭିତରକନିକା ଜାତୀୟ ଉଦ୍ୟାନ ସହିତ ବ୍ରାହ୍ମଣୀ ଓ ବୈତରଣୀ ନଦୀର ସଂଯୋଗ ରହିଥିବାରୁ କୁମ୍ଭୀରମାନେ ବନ୍ୟା ପାଣିରେ ଆସି ପାଣିଘେରରେ ଥିବା ବିପନ୍ନ ଲୋକ ଓ ଗୃହପାଳିତ ପଶୁଙ୍କ ପାଇଁ ଆତଙ୍କର କାରଣ ପାଲଟିଛନ୍ତି।
ସୋମବାର ସନ୍ଧ୍ୟାରେ ବନ୍ଧପଡ଼ା ପଞ୍ଚାୟତର ସଂଥପଡ଼ା ଗାଁ ମୁଣ୍ଡରେ ଏକ ଷଣ୍ଢ ଆଶ୍ରୟ ନେଇଥିବା ବେଳେ ପ୍ରାୟ ୧୫ ଫୁଟ୍ ଲମ୍ବର ଏକ କୁମ୍ଭୀର ହଠାତ୍ ତାକୁ ଆକ୍ରମଣ କରିଥିଲା। କୁମ୍ଭୀରଟି ଷଣ୍ଢର ହାକୁଡ଼ ଓ ଶରୀରର ଅନ୍ୟାନ୍ୟ ଅଂଶକୁ କାମୁଡ଼ି ଝୁଣି ଖାଇବା ସମୟରେ ଲୋକଙ୍କ ହୋହାଲ୍ଲା ଶୁଣି ପାଣିରେ ବୁଡ଼ି ଯାଇଥିଲା।
ଏ ସମ୍ପର୍କରେ ରାଜନଗର ରେଞ୍ଜର ଶାନ୍ତୁନ କୁମାର ଦଳାଇ କହିଛନ୍ତି, “ବନ୍ୟା ସମୟରେ ଆମକୁ ଟିକେ ସତର୍କ ରହିବା ଦରକାର। ଆମ ଟିମ୍ ବନ୍ୟାଞ୍ଚଳରେ ଲୋକମାନଙ୍କୁ ସଚେତନ କରିବା ସହିତ ଆବଶ୍ୟକ ସୂଚନା ଦେଉଛି।”
ବନ୍ୟା ସମୟରେ ନଦୀ, ନାଳ ଓ ଜଳାଶୟ ନିକଟକୁ ନଯିବା ସହିତ ଗୃହପାଳିତ ପଶୁଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନରେ ରଖିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।