ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

Sep 28, 2026 - 13:32
ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ବୋଲି ନିଜେ ଦୀପକ ଚହର ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି।

ଚହର କହିଛନ୍ତି ଯେ, ଗତ ସନ୍ଧ୍ୟାରେ ସେ ଅଭ୍ୟାସ କରୁଥିବା ଗ୍ରାଉଣ୍ଡରୁ ତାଙ୍କର ୩ଟି ବ୍ୟାଟ୍‌ ଚୋରି ହୋଇଯାଇଛି । ଚୋରି କରିଥିବା ବ୍ୟକ୍ତି ଏହି ବ୍ୟାଟ୍‌ଗୁଡ଼ିକର ପ୍ରକୃତ ମୂଲ୍ୟ ଜାଣି ନଥାଇପାରନ୍ତି ବୋଲି ସେ କହିଛନ୍ତି। ବ୍ୟାଟ୍‌ ଚୋରି କରିବା ପରିବର୍ତ୍ତେ ଯଦି ତାଙ୍କୁ ଟଙ୍କା ମାଗିଥାନ୍ତେ, ତେବେ ସେ ଦେଇଦେଇଥାନ୍ତେ । ଏପରିକି ଚୋରି ହୋଇଥିବା ବ୍ୟାଟ୍‌ରେ ଟେନିସ୍‌ ବଲ୍‌ରେ ଖେଳିବେ କିମ୍ବା ସେଗୁଡ଼ିକୁ ବିକ୍ରି କରିଦେବେ ବୋଲି ସେ କହିଛନ୍ତି ।

ବ୍ୟାଟ୍‌ ଫେରାଇ ଦେବା ପାଇଁ ଚୋରଙ୍କୁ ଅନୁରୋଧ କରି ଚହର କହିଛନ୍ତି ଯେ, ତାଙ୍କ ପାଖରେ ଏବେ ୩ଟି ବିକଳ୍ପ ରହିଛି—ପୋଲିସରେ ଅଭିଯୋଗ କରିବେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବେ କିମ୍ବା ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯିବେ । ନଚେତ୍‌ ସିଧା ଭଗବାନଙ୍କୁ ଅଭିଯୋଗ କରି ଚୋରଙ୍କୁ ବୁଦ୍ଧି ଦେବାକୁ ପ୍ରାର୍ଥନା କରିବେ ବୋଲି ସେ କହିଛନ୍ତି। ୩୪ ବର୍ଷୀୟ ଦୀପକ ଚହର ଦୀର୍ଘ ସମୟ ଧରି ଭାରତୀୟ ଦଳରେ ସ୍ଥାନ ପାଇପାରିନାହାନ୍ତି । ଭାରତ ପାଇଁ ସେ ୧୩ଟି ODI ଖେଳି ୧୬ଟି ୱିକେଟ୍‌ ନେଇଛନ୍ତି। ସେହିପରି ୨୫ଟି T20Iରେ ତାଙ୍କ ନାମରେ ରହିଛି ୩୧ଟି ୱିକେଟ୍‌ । ଭାରତ ପାଇଁ ତାଙ୍କ ଶେଷ ODI ମ୍ୟାଚ୍‌ ୨୦୨୨ ଡିସେମ୍ବରରେ ଏବଂ ଶେଷ T20I ମ୍ୟାଚ୍‌ ୨୦୨୩ ଡିସେମ୍ବରରେ ଥିଲା।

IPLରେ ଚହର ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ସହ ଅଛନ୍ତି । ପୂର୍ବ ସିଜନ୍‌ରେ ସେ ୮ଟି ମ୍ୟାଚ୍‌ ଖେଳି ୮ଟି ୱିକେଟ୍‌ ନେଇଥିଲେ । ଏହା ପୂର୍ବରୁ ସେ ଲଗାତାର ୬ ବର୍ଷ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିଲେ । IPLରେ ଏପର୍ଯ୍ୟନ୍ତ ୧୦୩ଟି ମ୍ୟାଚ୍‌ ଖେଳି ୯୬ଟି ୱିକେଟ୍‌ ନେଇଛନ୍ତି ଦୀପକ ଚହର ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।