ଷ୍ଟେଟ୍‌ବ୍ୟାଙ୍କରୁ ଡାଟା ଲିକ୍‌: ତଦନ୍ତ ଜାରି

Oct 22, 2026 - 13:13

ସମାଜ ଡେସ୍କ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ରୁ ଡାଟା ଲିକ୍ ହୋଇଥିବା ଖବର ମିଳିଛି । ଡାର୍କ ୱେବରେ ଥିବା ବ୍ୟାଙ୍କର ୩.୭୫ ଲକ୍ଷ ରେକର୍ଡ ମଧ୍ୟରୁ ୩,୮୯୭ ରେକର୍ଡ ଲିକ୍ ହୋଇଥିବା ଜଣାପଡିଛି । ଏହି ଘଟଣା ପ୍ରଘଟ ହେବା ପରେ ଦେଶ ବ୍ୟାପୀ ବ୍ୟାଙ୍କ ଉପଭୋକ୍ତାମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ବ୍ୟାଙ୍କ ପକ୍ଷରୁ ଏ ନେଇ ଅନୁସନ୍ଧାନ ଆରମ୍ଭ ହୋଇଯାଇଛି । ବୁଧବାର ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ‘ଖବର ଜଣାପଡିବା ପରେ ବ୍ୟାଙ୍କର ସାଇବର ଇନସିଡେଣ୍ଟ ରେସପନ୍‌ସକୁ ଆକ୍ଟିଭେଟ କରିଦିଆଯାଇଛି । ତେବେ ଯାହା ହୋଇଛି ସେଥିରେ ବ୍ୟାଙ୍କ କାର୍ଯ୍ୟଧାରା କୌଣସି ଭାବେ ପ୍ରଭାବିତ ହେବନାହିଁ । ଉପଭୋକ୍ତାମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ବ୍ୟାଙ୍କର ସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂର୍ବଭଳି ଜାରି ରହିଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
ଯଦିଓ ଉପଭୋକ୍ତାମାନେ ଏ ନେଇ ଭୟ କରିବାର କିଛି କାରଣ ନାହିଁ, ତେବେ କିଛି ମାତ୍ରାରେ ସାବଧାନତା ଅବଲମ୍ବନ କରିବାକୁ ଆର୍ଥିକ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଅଜଣା ନମ୍ବରରୁ କଲ୍‌, ମେସେଜ, ଇମେଲ୍ ପାଇ ନିଜର ଓଟିପି, ପିନ୍ ବା ପାସୱାର୍ଡ କାହାକୁ ନ ଦେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ବିଶେଷଜ୍ଞମାନେ ପରାମର୍ଶ ଦେଇ କହିଛନ୍ତି ଗ୍ରାହକମାନେ ନିଜ ବ୍ୟାଙ୍କ ଆକାଉଂଟର ଟ୍ରାନ୍‌ଜାକ୍ସନ ଆଲର୍ଟକୁ ଆକ୍ଟିଭେଟ୍ କରି ରଖନ୍ତୁ, ଯାହାଫଳରେ ପ୍ରତିଟି ନେଣଦେଣ ଜାଣିପାରିବେ । ନିଜ ଆଧାର ବାଇଓମେଟ୍ରିକ୍ ଲକ୍ କରିବା ସହ ନିଜ କ୍ରେଡିଟ୍ ରିପୋର୍ଟ ଉପରେ ମଧ୍ୟ ନଜର ରଖନ୍ତୁ । ଯଦି କିଛି ଅନିୟମିତତା ଆପଣଙ୍କ ନଜରକୁ ଆସେ, ତେବେ ଭାରତର ସାଇବରକ୍ରାଇମ୍ ହେଲ୍‌ପଲାଇନ୍ ନମ୍ବର ୧୯୩୦କୁ ଡାଏଲ କରନ୍ତୁ ବା ନିକଟସ୍ଥ ଏସବିଆଇ ଶାଖାରେ ଯାଇ ରିପୋର୍ଟ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।